ଫୁଲବାଣୀ:ଗାଁକୁ ନା ଅଛି ରାସ୍ତା ନା ଅଛି କୌଣସି ଯୋଗାଯୋଗର ବ୍ୟବସ୍ଥା । ଲୋକଙ୍କ ଅସମୟରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ସେଥିପାଇଁ ରୋଗୀଙ୍କୁ ଦୋଳାରେ ବୋହି ପାହାଡ ପର୍ବତ ଡେଇଁ ଡାକ୍ତରଖାନା ନେଲେ ଗ୍ରାମବାସୀ । ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ମୃତଦେହକୁ କାନ୍ଧରେ ବୋହି ନଦୀ ନାଳ ପାର ହୋଇ ଗାଁକୁ ଫେରିଲେ । ଦେଶ ସ୍ବାଧିନତାର ୭୫ ବର୍ଷ ପରେ ମଧ୍ୟ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତୁଡିପାଜୁ ପଞ୍ଚାୟତରେ ।
ସୂଚନା ଅନୁସାରେ କନ୍ଧମଳ ତୁଡିପାଜୁ ପଞ୍ଚାୟତ ତାଡପଙ୍ଗା ଗ୍ରାମର ପକ୍ଷାଘାତ ଆକ୍ରାନ୍ତ ଦିବେଶ୍ବର କହଁର(୬୫)ଙ୍କ ଦେହ ସୋମବାର ଗୁରୁତର ହୋଇ ପଡିଥିଲା । ତେବେ ଗାଁରୁ ଡାକ୍ତରଖାନା ନେବା ପାଇଁ ନା ଅଛି ରାସ୍ତା ନା କୌଣସି ଯୋଗାଯୋଗର ବ୍ୟବସ୍ଥା । ଗାଁରେ ଆମ୍ବୁଲାନ୍ସ ପହଞ୍ଚିବାର କୌଣସି ସୁବିଧା ନଥିବାରୁ ବାଧ୍ୟ ହୋଇ ପରିବାର ସହ ଗ୍ରାମବାସୀ ତାଙ୍କୁ ଏକ ଦୋଳା ସାହାଯ୍ୟରେ ପାହାଡ଼ ପର୍ବତ ଡେଇଁ ପ୍ରାୟ ୭ କିମି ଆଣିବା ପରେ ସେଠାରୁ ଅଟୋ ରିକ୍ସା କରି ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଫଳରେ ମହାପ୍ରୟାଣ ଗାଡ଼ିରେ ମୃତଦେହକୁ ନେଇ ଫେରିଥିଲେ ପରିବାର ଲୋକେ । କିନ୍ତୁ ରାସ୍ତା ନଥିବାରୁ ଗାଁ ଠାରୁ ପ୍ରାୟ ୭ କିମି ଦୂରରେ ଅଟକି ଯାଇଥିଲା ମହାପ୍ରୟାଣ ଗାଡି । ସେଠାରେ ଜଙ୍ଗଲରୁ କାଠ ସଂଗ୍ରହ କରି କୋକେଇ ପ୍ରସ୍ତୁତ କରିଥିଲେ ଗ୍ରାମବାସୀ ଏବଂ କାନ୍ଧରେ ବୋହି ଗାଁକୁ ଫେରିଥିଲେ । ବହୁ କଷ୍ଟରେ ଗାଁରେ ପହଞ୍ଚି ମୃତ ଦିବେଶ୍ବରଙ୍କ ଅନ୍ତିମ ସଂସ୍କାର କରିଥିଲେ ଘରଲୋକେ ।