ଫୁଲବାଣୀ: ଲାଲ ଗଡ଼ରେ CRPF ଯବାନଙ୍କ ଜନସମ୍ପର୍କ ଶିବିର । କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ବାଲନ୍ଦା ପଡ଼ା ଠାରେ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ବିଶ୍ବାସ ଭାଜନ ହେବା ସହ ଅଞ୍ଚଳବାସୀଙ୍କ ନିକଟତର ହେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ମାଓପ୍ରବଣ ଅଞ୍ଚଳରେ ଅଞ୍ଚଳବାସୀ ଗୋଟିଏ ପଟେ ମାଓ ଭୟ ଓ ଅନ୍ୟପଟେ ପୋଲିସ ଭୟରେ ଜୀବନ କାଳାତିପାତ କରୁଛନ୍ତି । ଏଣୁ ପୋଲିସକୁ ଭୟ ନକରି ସର୍ବଦା ସହଯୋଗ କରିବା ପାଇଁ ଏବଂ ନିଜେ ସୁରକ୍ଷିତ ରହିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସିଆରପିଏଫ୍ ପକ୍ଷରୁ ଆହ୍ବାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବାଲନ୍ଦା ପଡ଼ା, ଲୁଇସିଂ, କୁଇରୀମାଣ୍ଡୁ ପଞ୍ଚାୟତ ଅଞ୍ଚଳର ଅଭାବୀ ଏବଂ ଗରିବ ଲୋକଙ୍କ ପାଇଁ ସୋଲାର ଲ୍ୟାମ୍ପ, ରେଡିଓ ସେଟ୍ ଏବଂ ୱାଟର ଷ୍ଟୋରେଜ୍ ଟ୍ୟାଙ୍କ ବଣ୍ଟନ କରାଯାଇଛି । ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ଗୃହ ମନ୍ତ୍ରଣାଳୟର ତତ୍ତ୍ବାବଧାନରେ ଏହି ମାନବିକତା ସିଭିକ ଆକ୍ସନ କାର୍ଯ୍ୟକ୍ରମ ସିଆରପିଏଫ୍ ପକ୍ଷରୁ ଆୟୋଜିତ ହୋଇଥିଲା ।