ଫୁଲବାଣୀ:ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲା । ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ( Court Sentences Man To 3 Years Jai )ଫୁଲବାଣୀ ଫାଷ୍ଟଟ୍ରାକ ସ୍ବତନ୍ତ୍ର ପୋକସୋ କୋର୍ଟର ସହକାରୀ ଜିଲ୍ଲା ଦୌରାଜଜ । ଏହାସହ ତାଙ୍କୁ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ଏହା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି କୋର୍ଟ । ଅଭିଯୁକ୍ତ ଜଣକ ହେଲେ ଫିରିଙ୍ଗିଆ ଥାନା ଅଞ୍ଚଳର ପ୍ରଦୀପ କୁମାର ପ୍ରଧାନ ।
ସୂଚନା ଅନୁସାରେ, ୨୦୧୬ ସେପ୍ଟେମ୍ବର ୧୧ ତାରିଖରେ ନାବାଳିକା ଜଣକ କନ୍ଧମାଳ ଜିଲ୍ଲାର ବନ୍ଧଗଡକୁ ଖେଳ ଦେଖିବାକୁ ଯାଇଥିଲେ। କାର୍ଯ୍ୟକ୍ରମରେ ଭାଗ ନେଇ ନ ଥିବାରୁ ତାଙ୍କୁ ହଷ୍ଟଲରେ ରହିବାକୁ ଦିଆଯାଇ ନଥିଲା । ଫଳରେ ସେ ନିଜ ସାଙ୍ଗ ସହ ଗାଁକୁ ଯିବା ପାଇଁ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ । ନାବାଳିକାର ସାଙ୍ଗରେ ଥିବା ଝିଅ ଫୋନ୍ କରି ପ୍ରଦୀପଙ୍କୁ ଡାକିଥିଲେ । ପ୍ରଦୀପ ଆଉ ଜଣେ ବ୍ୟକ୍ତି ସହ ବାଇକରେ ଆସି ସେଠାରେ ପହଞ୍ଚିଥିଲେ ।
ଏହାବି ପଢନ୍ତୁ:ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ ଜେଲ
ଚାରି ଜଣ ମିଶି ବାଇକରେ ଗାଁ ଅଭିମୁଖେ ବାହାରିଥିଲେ । ସେସ୍କାଯୋଡି ଜଙ୍ଗଲ ରାସ୍ତାରେ ଗାଡ଼ି ଅଟକାଇ ଥିଲେ ପ୍ରଦୀପ । ନାବାଳିକାଙ୍କ ସାଙ୍ଗରେ ଥିବା ବାନ୍ଧବୀ ଜଣକ ଅନ୍ୟ ଜଣେ ଲୋକ ସହ ଜଙ୍ଗଲ ଭିତରକୁ ଯାଇଥିଲେ । ଅଭିଯୁକ୍ତ ନାବାଳିକାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଜଣ ଲୋକ ଆସି ଯିବାରୁ ପୀଡିତାକୁ ଛାଡ଼ି ପ୍ରଦୀପ ବାଇକ ନେଇ ପଳାଇଥିଲା । ପୀଡିତା ଜଣକ ସେମାନଙ୍କ ସହ ଗାଁକୁ ଯାଇ ରାତିରେ ଆଶ୍ରୟ ନେଇଥିଲେ । ସକାଳୁ ପୀଡିତାଙ୍କ ବାପା ଖବର ପାଇ ଝିଅକୁ ନେଇଥିଲେ । ଏହା ପରେ ଫିରିଙ୍ଗିଆ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ପୋଲିସ ୧୧୨/୧୬ରେ ମାମଲା ରୁଜୁ କରି ପ୍ରଦୀପଙ୍କୁ ଗିରଫ କରିଥିଲା । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ସ୍ବତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରିଥିଲେ ।
ଇଟିଭି ଭାରତ, କନ୍ଧମାଳ