ଫୁଲବାଣୀ: ଆଜି ବଡଦିନ । ଧରା ପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । ସମସ୍ତଙ୍କ ମନରେ ଖୁସି ଓ ଉଲ୍ଲାସ । ଏପଟେ ଚିକମିକ ଆଲୁଅରେ ଝଲସୁଛି କନ୍ଧମାଳ ଜିଲ୍ଲାର ସମସ୍ତ ଚର୍ଚ୍ଚ । ବଡ଼ ଦିନକୁ କୋଭିଡ କଟକଣା ସହିତ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ । ଓମିକ୍ରନ ରୋକିବା ପାଇଁ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ନୂଆ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ତେବେ ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ ଅନୁମତି ଦିଆଯାଇଛି । ଜିରୋ ନାଇଟ୍ ସେଲିବ୍ରେସନକୁ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି ।
ତେବେ କନ୍ଧମାଳରେ ବଡ଼ଦିନ ପର୍ବ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଜିଲ୍ଲା ପୋଲିସ ସହ ଅଧିକ ୨୧ ପ୍ଲାଟୁନ ଫୋର୍ସ, ସିଆରପିଏଫ ମୁତୟନ ହୋଇଛନ୍ତି । ନକ୍ସଲ ପ୍ରବଣ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।