ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ଙ୍କୁ ଭେଟିଛନ୍ତି କନ୍ଧମାଳର ମେଡିକାଲ ଛାତ୍ର ଇଫୁ ମଲ୍ଲିକ (Tribal Medical student Ifu Mallick ) । ନିଟ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ । ଆଜି ସନ୍ଧ୍ୟାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ଆଶୀର୍ବାଦ ନେଇଛନ୍ତି ।
ଏହାବି ପଢନ୍ତୁ- ଧାନକଟା ହାତରେ ଭବିଷ୍ୟତ ଗଢିବେ ଗରିବ ଆଦିବାସୀ ଛାତ୍ର ଇଫୁ, ସାକାର ହେବ ଡାକ୍ତର ହେବା ସ୍ୱପ୍ନ
ମୁଖ୍ୟମନ୍ତ୍ରୀ ଇଫୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଇଫୁଙ୍କ ପ୍ରତିଭାର ଉଚ୍ଚପ୍ରଶଂସା କରିବା ସହିତ ଆଗକୁ ଏହିପରି ଉଦ୍ୟମ ଜାରି ରଖି ଦେଶବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଫୁଙ୍କ ସହିତ ସେଲଫି ନେଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ପୁସ୍ତକ ମଧ୍ୟ ଉପହାର ଦେଇଛନ୍ତି । ଇଫୁ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଜଣେ ଗରିବ, ଆଦିବାସୀ ଯୁବକ । ନିଜର ପ୍ରତିଭା ଓ ଉଦ୍ୟମ ଯୋଗୁଁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ମେଡିକାଲ ପଢିବା ପାଇଁ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଅର୍ଥାଭାବ ଯୋଗୁଁ ତାଙ୍କର ଏ ଆଶା ପୂରଣ ହେବା ସଂପର୍କରେ ଇଫୁ ସନ୍ଦିହାନ ଥିଲେ ।