ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ ଅଘଟଣ । ଏକ କାର୍ ଭାରସାମ୍ୟ ହରାଇ ପୋଲ ତଳକୁ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ୩ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭରଙ୍କ ସମେତ ୪ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ସାଙ୍ଗଡ଼ ଏବଂ ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି । ଗୁରୁତରମାନେ ହେଲେ ପଦା ସାହିର ଡ୍ରାଇଭର କାଳିଆ ନାଏକ (୩୫), ସୁକାନ୍ତି ବେହରା (୩୬), ଦମୟନ୍ତୀ ବେହରା (୧୯) ଏବଂ ନାବାଳକ ରାକେଶ ବେହରା ।
ଏହାମଧ୍ୟ ପଢ଼ନ୍ତୁ. Bridge collapses in Bihar: ଭାଙ୍ଗିଲା ପୋଲ, ମଝିରେ ଝୁଲି ରହିଛି ଟ୍ରକ
ସୂଚନାନୁସାରେ ସାରଙ୍ଗଡ଼ ପଦାସାହି ଅଞ୍ଚଳର ଅଶୋକ ବେହରାଙ୍କ ପରିବାର ଭଞ୍ଜନଗରରୁ ଏକ କାର ଯୋଗେ ନିଜ ଗାଁ ସାରଙ୍ଗଡକୁ ଫେରୁଥିଲେ । ସାରଙ୍ଗଡ଼ ଥାନା ନିକଟସ୍ଥ ବନାଙ୍ଗିଆ ଡ୍ୟାମ୍ ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ କାର ଏକ ପୋଲ ତଳକୁ ଖସି ପଡ଼ିଥିଲା । ଖବରପାଇ ସାରଙ୍ଗଡ଼ ପୋଲିସ୍ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରଥେମ ସାରଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେତବେଳେକୁ ପିଲାଟିର ମୃତ୍ୟୁ ହୋଇ ସାରିଥିଲା । ଘଟଣାସ୍ଥଳରେ ସାରଙ୍ଗଡ଼ ଥାନା ଅଧିକାରୀ ବିଦୁଲିକା ବିଶ୍ୱାଳ ଏବଂ ଏଏସଆଇ କେଶବ ଭାତ୍ରକ୍ଷ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଏ ନେଇ ଥାନାରେ ଥାନା ପୋଲିସ ଏକ ମାମଲା ରୁଜୁ କରିଥିବା IIC ପ୍ରକାଶ କରିଛନ୍ତି ।
ନିକଟରେ ହାଇଦ୍ରାବାଦରେ ମଧ୍ୟ ଭାରସାମ୍ୟ ହରାଇ କେନାଲକୁ ଖସିଥିଲା ଏକ କାର । ଯେଉଁଥିରେ ଗୋଟିଏ ପରିବାରର ୬ଜଣ ସଦସ୍ୟ ଆଖି ବୁଜି ଦେଇଥିଲେ । ଗୋଟିଏ ପରିବାରର ୬ ଜଣ ସଦସ୍ୟ କାର୍ ଯୋଗେ ଯାତ୍ରା କରୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଏକ କଲଭର୍ଟ ସହ ପିଟି ହୋଇଥିଲା । ଏହାପରେ ପାଖରେ ଥିବା ଏକ କେନାଲ ମଧ୍ୟକୁ ଖସିପଡିଥିଲା। ଯେଉଁ କାରଣରୁ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଥିଲେ । ତେବେ ସିଦ୍ଦିପେଟ ଜିଲ୍ଲା ଜଗଦେବପୁର ମଣ୍ଡଳ ଅନ୍ତର୍ଗତ ମୁନିଗଡପା ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ମୃତକମାନେ ନାଲଗୋଣ୍ଡା ଜିଲ୍ଲା ବିବିନଗର ନିବାସୀଥିଲେ । ସମସ୍ତେ ଗୋଟିଏ ପରିବାରର ସଦସ୍ୟଥିଲେ । ଗତ ମଙ୍ଗଳବାର ଦିନ ସେମାନେ ବେମୁଲୱାଡାରେ ଥିବା ରାଜାରାଜେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କରି ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କର କାର୍ ଭାରସାମ୍ୟ ହରାଇ ଏକ କଲଭର୍ଟ ସହ ପିଟି ହୋଇଥିଲା । ପରେ କାରଟି କେନାଲ ମଧ୍ୟକୁ ଖସି ପଡିଥିଲା । ତେବେ କେନାଲରେ ଅଧିକ ପାଣି ନଥିବାବେଳେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ଇଟିଭି ଭାରତ, କନ୍ଧମାଳ