ଫୁଲବାଣୀ:ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗତ ତିନିଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଏଥିପାଇଁ ତଳିଆ ଅଞ୍ଚଳଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି । ବିଶେଷ କରି ଚକାପାଦ ଏବଂ ଫିରିଙ୍ଗିଆ ବ୍ଲକରେ ବିଶେଷ ପ୍ରଭାବ ପରିଲକ୍ଷିତ ହୋଇଛି । ଅଧିକାଂଶ ସ୍ଥାନରେ ନଦୀ ଉପରେ ପୋଲ ନ ଥିବାରୁ ଜଳବନ୍ଦୀ ସମସ୍ୟା ଦେଖାଦେଇ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି ।
ଚକାପାଦ ବ୍ଲକ ଅଞ୍ଚଳର ସାହି ଭିତରେ ବର୍ଷା ପାଣି ଲହଡ଼ି ମାରିବା ସହିତ ବହୁ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଛି । ସାହିର କିଛି କଚ୍ଚା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଇପଦା-ଜୁଇଖୋଲ ଗ୍ରାମକୁ ସଂଯୋଗ କରୁଥିବା ବୃତଙ୍ଗ ନଦୀର କାଠ ପୋଲ ବନ୍ୟା ଜଳରେ ଭାସି ଯାଇଛି । ଗ୍ରାମବାସୀ ବିପଦସଙ୍କୁଳ ଅବସ୍ଥାରେ ନଦୀର ବଢ଼ି ପାଣି ଭିତରେ ଯାତାୟାତ କରୁଛନ୍ତି । ସେହିପରି ବାଘ ନଦୀରେ ଥିବା କାଠ ପୋଲ ବନ୍ୟା ଜଳରେ ଭାସି ଯାଇଥିବାରୁ ପାଙ୍ଗାଉପରସାହି ପଞ୍ଚାୟତର ୫ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ସେମାନଙ୍କ ପାଖରେ ପହଞ୍ଚି ନଥିବା ଜଣାପଡ଼ିଛି ।