ଫୁଲବାଣୀ:ହାଇଦ୍ରାବାଦରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ମୃତକ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୋଡାପଡା ଗାଁର ପିଣ୍ଟୁ ଓରଫ୍ ଭୋଳେଶ୍ବର ମୁଖୀ । ସେ ହାଇଦ୍ରାବାଦରେ ଗୋଟିଏ କୁକୁଡା ଫାର୍ମରେ କାମ କରୁଥିଲେ ଓ ୩ ବର୍ଷ ହେଲା ନିଜ ପରିବାର ସହ ସେଠାରେ ରହୁଥିଲେ । ତେବେ ତାଙ୍କର ସ୍ତ୍ରୀ ଶାରିରୀକ ସମ୍ପର୍କ ରଖିବା ପାଇଁ ମନା କରିଦେବାରୁ ପିଣ୍ଟୁ ଜୀବନ ହାରିଥିବା ସେ କହିଛନ୍ତି । ମଙ୍ଗଳବାର ଦାଦନ ଶ୍ରମିକଙ୍କ ମୃତଦେହ ହାଇଦ୍ରାବାଦରୁ ନିଜ ଜନ୍ମମାଟିରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି ।
ମୃତ ଶ୍ରମିକଙ୍କ ସ୍ତ୍ରୀଙ୍କ ବୟାନ ଅନୁସାରେ, ୩ ବର୍ଷ ତଳେ ପିଣ୍ଟୁଙ୍କ ବିବାହ ହୋଇଥିଲା ଏବଂ ତାଙ୍କର ଏକ ଦେଢବର୍ଷର ଝିଅ ମଧ୍ୟ ଅଛି । ଗତ ୨୬ ତାରିଖ ରାତିରେ ପିଣ୍ଟୁ ନିଜ ସ୍ତ୍ରୀଙ୍କୁ ଶାରିରୀକ ସମ୍ପର୍କ ରଖିବା ପାଇଁ କହିଥିଲେ । କିନ୍ତୁ ସ୍ତ୍ରୀ ଦେହ ଖରାପ ଥିବା କହି ଅରାଜି ହୋଇଥିଲେ । ଏହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହାପରେ ସମସ୍ତେ ଶୋଇ ପଡିଥିଲେ । ପରଦିନ ଭୋର ପ୍ରାୟ ୩ଟା ବେଳେ ନିଜ ଘର ପଛପଟେ ଥିବା ଏକ କୋଠରୀରେ ପିଣ୍ଟୁଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ମୃତକଙ୍କ ସ୍ତ୍ରୀ ଘର ପାଖରେ ରହୁଥିବା ଜଣେ ସମ୍ପର୍କୀୟ ମାମୁଁଙ୍କୁ ଫୋନ କରି ଜଣାଇବା ସହ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ମୃତଦେହ ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।