ଫୁଲବାଣୀ:ଦଡ଼କି ସରପଞ୍ଚଙ୍କ ପୁଅ ତଥା ବିଜେପି ଜିଲ୍ଲା ଉପ ସଭାପତି ସଞ୍ଜିତ ମଲ୍ଲିକଙ୍କ ମୃତଦେହ ମିଳିବା ଘଟଣା । ଏହି ଘଟଣାର ପର୍ଦ୍ଦାଫାସ କରିଛି ସଦର ଥାନା ପୋଲିସ । ପରକୀୟା ପ୍ରୀତି, ବ୍ଲାକମେଲିଂ ଓ ଅର୍ଥ କାରବାରକୁ ନେଇ ସଞ୍ଜିତଙ୍କୁ ହତ୍ୟା କରାଯାଇଥିବା କହିଛି ପୋଲିସ । ପରକୀୟା ପ୍ରୀତିରେ ସାମିଲ ଖୋଦ ମହିଳା ଜଣକ ଏହି ହତ୍ୟାକାଣ୍ଡ ଭିଆଇ ଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ମଦ ନିଶାରେ ମାତାଲ ଥିବା ସଞ୍ଜିତ ଦୈହିକ ସମ୍ପର୍କ ରଖି ଶୋଇ ପଡିବା ପରେ ସମ୍ପୃକ୍ତ ମହିଳା ଜଣକ ତାଙ୍କ ମୁହଁରେ ତକିଆ ମାଡ଼ି ହତ୍ୟା କରିଥିଲେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ସୁପ୍ରସନ୍ନ ମଲ୍ଲିକ ସୂଚନା ଦେଇଛନ୍ତି । ମହିଳା ଜଣକ ହେଲେ କାନକାଡି ଗ୍ରାମର ସୌଦାମିନୀ ମଲ୍ଲିକ ।
ପ୍ରାୟ 2 ବର୍ଷ ହେବ ସଞ୍ଜିତଙ୍କ ସହ ସୌଦାମିନୀଙ୍କ ସମ୍ପର୍କ ରହିଥିଲା । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା । ସୌଦାମିନୀ କିଛି ଦିନ ହେବ ଏଥିରୁ ନିବୃତ ହେବାକୁ ଚାହୁଁଥିଲେ । ଏଥି ପାଇଁ ସେ ସଞ୍ଜିତଙ୍କ ସହ ଆଉ ସମ୍ପର୍କ ନ ରଖିବା ପାଇଁ ମନା କରି ଆସୁଥିଲେ । ହେଲେ ସଞ୍ଜିତ ତାଙ୍କୁ ବ୍ଲାକାମେଲିଂ କରି ବାରମ୍ବାର ପାଖକୁ ଡାକୁଥିଲେ । ସେହିପରି ଗ୍ରୁପରୁ ଲୋନ୍ କରି ସୌଦାମିନୀ ୪ ହଜାର ଟଙ୍କା ତାଙ୍କୁ ଦେଇଥିଲେ । ହେଲେ ସଞ୍ଜିତ ଏହାକୁ ଫେରାଉ ନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା ।
ଏହା ମଧ୍ୟ ପଢନ୍ତୁ-ନବରଙ୍ଗପୁରରେ ଜଘନ୍ୟ ହତ୍ୟାକାଣ୍ଡ, ଯୁବତୀଙ୍କୁ ୩୧ ଖଣ୍ଡ କରି ପୋତିଲା ପ୍ରେମିକ !
ଗତ ୩୦ ତାରିଖ ରାତିରେ ସଞ୍ଜିତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଶୋଇବାକୁ ଆସି ସୌଦାମିନୀଙ୍କୁ ଫୋନ୍ରେ ଡାକିଥିଲେ । ସେଠାକୁ ସୌଦାମିନୀ ଆସିବା ପରେ ଉଭୟ ଶାରୀରିକ ସମ୍ପର୍କ ରଖିଥିଲେ । ଅତ୍ୟଧିକ ନିଶାସକ୍ତ ଥିବା ସଞ୍ଜିତ ଶୋଇଯିବା ପରେ ଏହାର ସୁଯୋଗ ନେଇ ତକିଆ ସାହାଯ୍ୟରେ ସୌଦାମିନୀ ତାଙ୍କ ମୁହଁକୁ ଚାପି ଶ୍ୱାସ ରୁଦ୍ଧ କରି ହତ୍ୟା କରିଥିଲା । ଫୋନ୍ କଲ ବିଷୟରେ ଜଣା ପଡ଼ିଯିବା ଭୟରେ ସଞ୍ଜିତର ଫୋନ୍କୁ ନେଇ ଘର ପାଖରେ ମାଟି ତଳେ ପୋତି ଦେଇଥିଲା । କିଛି ଲୋକଙ୍କ କଥାକୁ କେନ୍ଦ୍ରକରି ପୋଲିସ ସୌଦାମିନୀକୁ ପଚରାଉଚରା କରିବାରୁ ସେ ଘଟାଇଥିବା ସମସ୍ତ କଥାକୁ ମାନିଥିଲା । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ମହିଳାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ଗତ 1ତାରିଖ ଦିନ ସଞ୍ଜିତଙ୍କ ମୃତଦେହ ଦଡ଼କି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାଟରରୁ ମିଳିଥିଲା । ଘଟଣା ଘଟିବାର 3 ଦିନ ପୂର୍ବରୁ ସଞ୍ଜିତଙ୍କ ସହ କିଛି ଯୁବକଙ୍କ ମଧ୍ୟରେ କମେଣ୍ଟ ମରାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା । ସଞ୍ଜିତ ଗତ 30 ତାରିଖ ରାତିରେ ଘରୁ ବାହାରି ଶୋଇବା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାଟରକୁ ଯାଇଥିଲେ । ହେଲେ ସକାଳେ ଘରକୁ ନଫେରିବାରୁ ତାଙ୍କ ବାପା ଯଶୋବନ୍ତ ସେଠାକୁ ଯାଇ ଦେଖିଲା ବେଳକୁ ରୁମ୍ କବାଟ ଭିତରପଟୁ ଖୋଲା ଥିଲା । ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସଞ୍ଜିତର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ କମେଣ୍ଟମରାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ l ମୃତଦେହ ଉଦ୍ଧାର କରି ସଦର ଥାନା ପୋଲିସ ୧୯୭/୨୩ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ପରେ ମହିଳାଙ୍କୁ ଗିରଫ କରିଥିଲା ।
ଇଟିଭି ଭାରତ, କନ୍ଧମାଳ