ଫୁଲବାଣୀ: ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କଡ଼ମ୍ବା ଛକରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ହେଲେ ବ୍ରାହ୍ମଣୀଗାଁ ଥାନା କୁମ୍ଭାରିଗାଁ ପଞ୍ଚାୟତ ରାଜନଗଡ଼ ଗ୍ରାମର ପାଉଲ ଶବର ଏବଂ ଗଜପତି ଜିଲା ମୋହନା ବ୍ଲକ ଦନିଗାଁ ଗ୍ରାମର କଲେଜ ଛାତ୍ର ଅର୍ଜୁନ ମନ୍ତ୍ରୀ (୨୦) ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ ଅନ୍ୟପକ୍ଷେ ଗୁରୁତର ଆହତ ହୋଇଥିବା ଦୁଇଜଣ ହେଲେ ଦନିଗାଁର କଲେଜ ଛାତ୍ର ନରେନ୍ଦ୍ର ନାୟକ ଏବଂ ଗୋବରକୁଟି ଗ୍ରାମର ସୀମାଞ୍ଚଳ ନାୟକ l ଗୁରୁତର ଆହତ ମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l
ପୋଲିସ ସୂଚନାନୁଯାୟୀ, ଅର୍ଜୁନ ଏବଂ ତାଙ୍କ ସହପାଠୀ ନରେନ୍ଦ୍ର ନାୟକ, ନିଜ ବାଇକରେ କଲେଜରୁ ଗ୍ରାମ ଗଜପତି ଜିଲା ଦନିଗାଁକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ପାଉଲ ଏବଂ ସୀମାଞ୍ଚଳ ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ଗଜପତି ଏବଂ କନ୍ଧମାଳ ସୀମାବର୍ତ୍ତୀ କଡ଼ମ୍ବା ଘାଟିରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଖବର ପାଇ ବ୍ରାହ୍ମଣୀଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବାଇକକୁ ଜବତ କରିବା ସହ ମୃତଦେହ ଜବତ କରିଛି । ଥାନାରେ ୯୮/୧୯ରେ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଅଧିକାରୀ ସଂଗ୍ରାମ ଜେନା । ଏହି ଦୁଃଖଦ ଘଟଣା ପରେ ଦୁଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ