ଭୁବନେଶ୍ବର: ପାହାଡ଼ ଚଢି ପାରୁନି ସରକାରୀ ଯୋଜନା । ଆକାଂକ୍ଷା ଜିଲ୍ଲା କନ୍ଧମାଳରେ ଅପହଞ୍ଚ ଉନ୍ନତ ସ୍ବାସ୍ଥ୍ୟସେବା । ସଂସଦରେ ଉପସ୍ଥାପିତ ଏକ ରିପୋର୍ଟରୁ ହୋଇଛି ମହାଖୁଲାସା । କନ୍ଧମାଳର ବିକାଶ ପାଇଁ କେନ୍ଦ୍ର ସରକାର ଆଗେଇଆସିଥିଲେ ବି ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ବିକାଶଠୁ ଦୂରେଇ ଦୂରେଇ ଯାଉଛି ଜିଲ୍ଲା ।
କେନ୍ଦ୍ର ସରକାର ମହତ୍ତ୍ବକାଂକ୍ଷୀ ଯୋଜନା ‘ଆକାଂକ୍ଷା ଜିଲ୍ଲା’ ମାଧ୍ୟମରେ କନ୍ଧମାଳରେ ବିଶେଷ କରି ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଅଣ୍ଟା ଭିଡିଥିଲେ । ଅର୍ଥ ବି ମଞ୍ଜୁର ହେଲା । କିନ୍ତୁ ଜିଲ୍ଲାବାସୀ ଏବେବେ ଉନ୍ନତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ । ତେବେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ...
ପାହାଡ଼ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳ । ଯେଉଁଠି ଆଜି ବି ସାତ ସପନ ଉତ୍ତମ ସ୍ବାସ୍ଥ୍ୟ ସେବା । ଉନ୍ନତ ଚିକିତ୍ସା ଟିକେ ପାଇବା ପାଇଁ ଯିବାକୁ ପଡ଼ୁଛି ପଡ଼ୋଶୀ ଜିଲ୍ଲାକୁ । ତେବେ ଗତ ପାଞ୍ଚ ବର୍ଷରେ ଜିଲ୍ଲାର ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ପଣି ଭଳିଆ ଖର୍ଚ୍ଚ ହୋଇଥିଲେ ବି ଆଖି ଦୃଶିଆ ବିକାଶ ଘଟିନଥିବା ରିପୋର୍ଟରୁ ଜଣାପଡ଼ିଛି ।
ପଛୁଆ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ଓଡ଼ିଶାର ୧୦ଟି ଜିଲ୍ଲାକୁ ଚୟନ କରିଥିଲେ । ଏଥି ମଧ୍ୟରେ ସାମିଲ ରହିଛି କନ୍ଧମାଳ । ଆକାଂକ୍ଷା ଜିଲ୍ଲା ଯୋଜନାର ମୂଳ ଲକ୍ଷ୍ୟ ଥିଲା ଆଦିବାସୀ ଜନଜାତିର ଉନ୍ନତି, ବିଶେଷ କରି ସ୍ବାସ୍ଥ୍ୟଗତ ବିକାଶ । ଜିଲ୍ଲାର ବିକାଶ ଏବଂ ସ୍ବାସ୍ଥ୍ୟସେବାର ଉନ୍ନତି ଲକ୍ଷ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ରାଜ୍ଯ ସରକାରଙ୍କୁ ସ୍ବତନ୍ତ୍ର ଆର୍ଥିକ ସହାୟତା ଦେଉଛି କେନ୍ଦ୍ର । ତେବେ ବଦଳୁନି ଜିଲ୍ଲା ଚିକିତ୍ସା ବ୍ୟବସ୍ଥାର ଚିତ୍ର ।