ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ତିନି ଦିନବ୍ୟାପୀ ଭିନ୍ନକ୍ଷମ ପିଲା ଓ ବ୍ୟକ୍ତିମାନଙ୍କ କୃତ୍ରିମ ଅଙ୍ଗ ଏବଂ ସହାୟକ ଅଙ୍ଗର ମାପ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ଉଦଘାଟନ କରିଥିଲେ । ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୯୮ ଜଣ ଭିନ୍ନକ୍ଷମ ପିଲା ଏବଂ ବ୍ୟକ୍ତି ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୬୯ ଜଣଙ୍କର ୧୨୭ଟି ସହାୟକ ଅଙ୍ଗ ଓ ୫ଟି କୃତ୍ରିମ ଅଙ୍ଗର ମାପ ନିଆଯାଇଥିଲା ।
ଭୁବନେଶ୍ବର ସ୍ଥିତ ‘ଅତ୍ୟାଧୁନିକ ଥଇଥାନ କେନ୍ଦ୍ର’ର ପ୍ରୋସ୍ପେଟିକ୍ ଓ ଅର୍ଥୋଟିକ୍ ଇଞ୍ଜିନିୟର ବିକାଶ ଜେନା, ଉଦୟନାଥ ମହାରଥୀ ଏହି ମାପ ନେଇଥିଲେ । ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଯାନ ମାଧ୍ୟମରେ କାର୍ଯ୍ୟକ୍ରମ ପରିଚାଳକ ସୁଧାଂଶୁ ଶେଖର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ପିଲାମାନଙ୍କୁ ନେବାଆଣିବା କରାଯାଇଥିଲା । ଏହି ଶିବିରକୁ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରର ଅଧିକାରୀ ଅକ୍ଷୟ କୁମାର ପଣ୍ଡା ଓ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବଡ଼ ସେଠ୍ ପରିଚାଳନା କରିଥିଲେ ।