ଫୁଲବାଣୀ:ଦୀର୍ଘ ଦିନ ଧରି ଅଙ୍ଗନବାଡ଼ି କର୍ମୀମାନେ ସେମାନଙ୍କ ଦାବି ପୂରଣ ପାଇଁ ଆନ୍ଦୋଳନ ଚଳାଇଛନ୍ତି । ହେଲେ ଏପର୍ଯ୍ୟନ୍ତ ରାଜ୍ୟସରକାର ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଏନେଇ ଅଙ୍ଗନବାଡି ଲେଡିଜ ୱାର୍କସ ଆସୋସିଏସନ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯାଇଛି । କନ୍ଧମାଳ ଜିଲ୍ଲାର ହଜାର ହଜାର ସଂଖ୍ୟାର ଅଙ୍ଗନବାଡି କର୍ମୀମାନେ ଏକତ୍ରିତ ହୋଇ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଦିନରାତି ଧାରଣା ଚାଲୁ ରହିବ ବୋଲି ସଂଘ ସରକାରଙ୍କୁ ଚେତାବନୀ ଦେଇଛି ।
ଏହି ପରିପ୍ରେକ୍ଷୀରେ ସଂଘର କର୍ମକର୍ତ୍ତା ଏବଂ ଅଙ୍ଗନବାଡି କର୍ମୀମାନେ ସ୍ଥାନୀୟ ମାଦିକୁନ୍ଦା ଛକରୁ ଏକ ବିଶାଳ ରାଲିରେ ବାହାରି ସହର ପରିକ୍ରମା କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଂଘ କର୍ମକର୍ତ୍ତା ସେମାନଙ୍କ ଦାବି ପୂରଣ ନେଇ ସରକାରଙ୍କୁ ଚେତାବନୀ ଦେଇଥିଲେ । ଆନ୍ଦୋଳନକାରୀଙ୍କ କହିବାଅନୁସାରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆମେ ସବୁ କାର୍ଯ୍ୟ କରିଛୁ । ଗର୍ଭବତୀଙ୍କ ପାଖରୁ ଆରମ୍ଭ କରି ଶିଶୁ, ନିର୍ବାଚନ ସମୟରେ କାମ, ସ୍ୱାସ୍ଥ୍ୟ ପରୀକ୍ଷା, ମମତା ଯୋଜନା, ରାସନ କାର୍ଡ ସର୍ଭେ, ପାଇଖାନା ସର୍ଭେ, ସ୍ୱୟଂସହାୟିକା ଗୋଷ୍ଠୀ ଗଠନ, ବିବାହ ପଞ୍ଜିକରଣ, ବାର୍ଦ୍ଧକ୍ୟ ଭତ୍ତା ସର୍ଭେ, ବାଲ୍ୟ ବିବାହ ଦୂରୀକରଣ ଆଦି ଅନେକ କାର୍ଯ୍ୟରେ ଆମକୁ ସାମିଲ କରାଯାଉଛି ।
ହେଲେ ପାରିଶ୍ରମିକ ସେହି ଅନୁସାରେ ମିଳୁନାହିଁ । କୋରୋନା ସମୟରେ ଆମେ ଯାହା କାମ କରିଛୁ, ତାହା ବିଷୟରେ କହିବା ଆବଶ୍ୟକତା ନାହିଁ । ଗତ କିଛିଦିନ ତଳେ ସରକାର ଠିକା ନିଯୁକ୍ତି ଉଚ୍ଛେଦ କଲେ । ଆମେ ଏହାର ପ୍ରତିବାଦ କରୁନୁ । କିନ୍ତୁ ଆମେ କିପରି ଚଳିବୁ ବା ଆମର ପାରିଶ୍ରମିକ ବୃଦ୍ଧି ପାଇଁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହାଁନ୍ତି । ତେଣୁ ସରକାର ଯଦି ଆମ କଥା ନ ବୁଝିବେ, ତାହାଲେ ଆମେ କ’ଣ କରିବୁ । ବାଧ୍ୟ ହୋଇ ଦିନରାତି ଧାରଣାରେ ବସିବୁ ବୋଲି ଜିଲ୍ଲା ସଂଘ ସଭାନେତ୍ରୀ ସର୍ମିଷ୍ଠା ନାୟକ ଏବଂ ସାଧାରଣ ସମ୍ପାଦିକା ସାରଦା ପରିଚ୍ଛା ପ୍ରକାଶ କରିଛନ୍ତି ।