ଓଡିଶା

odisha

ETV Bharat / state

ମୃତ ଶିଶୁ ଜନ୍ମ ନେଇ ଦାରିଙ୍ଗବାଡିରେ ଉତ୍ତେଜନା - ଦାରିଙ୍ଗବାଡିରେ ଉତ୍ତେଜନା

ଗଣ୍ଡଗୋଳରେ ଆହତ ଗର୍ଭବତୀ ପରବର୍ତ୍ତୀ ସମୟରେ ମୃତ ଶିଶୁ ପୁତ୍ର ଜନ୍ମଦେବା ନେଇ ଦାରିଙ୍ଗବାଡିରେ ଉତ୍ତେଜନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ଲୋକଙ୍କୁ ପଚରାଉଚରା କରୁଛି । ଆଗକୁ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ

By

Published : Nov 8, 2019, 7:22 PM IST

କନ୍ଧମାଳ: ଦାରିଙ୍ଗବାଡିରେ ଗଣ୍ଡଗୋଳ ବେଳେ ଗର୍ଭବତୀ ମହିଳା ଆହତ ହୋଇଥିବା ଅଭିଯୋଗ ହୋଇଛି । ପରେ ସେ ଏକ ମୃତ ଶିଶୁ ଜନ୍ମ ଦେଇଥିଲେ । ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଲାଗିରହିଛି । ଦାରିଙ୍ଗବାଡି ଥାନା ପଞ୍ଚୁପଲ୍ଲି ଗ୍ରାମରେ ଜମିବାଡ଼ିକୁ ନେଇ ଶୁକ୍ରବାର ଗଣ୍ଡଗୋଳ ହୋଇଥିଲା । ଏଥିରେ ରୋଜି ବଳିଆରସିଂ ନାମକ ଜଣେ ଗର୍ଭବତୀ ଆହତ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା ।

ରୋଜିଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପରେ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀକୁ ନିଆଯାଇଥିଲା । ସେଠାରେ ସେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ମୃତ ଶିଶୁକୁ ନେଇ ପରିବାର ଲୋକେ ଗୁରୁବାର ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା । ଉକ୍ତଦିନ ଗଣ୍ଡଗୋଳରେ ରୋଜିଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା । ଏନେଇ ପୂର୍ବରୁ ନଂ.୧୧୫/୧୯ରେ ମାମଲା ରୁଜୁ ହୋଇଥିବା ମୃତ ଶିଶୁଙ୍କ ମା’ ରୋଜି ଏବଂ ବାପା ଅମର କହିଛନ୍ତି। ତେବେ ଜମିବାଡ଼ି ବିବାଦ ଯୋଗୁ ଅମରଙ୍କ ସହ ଗ୍ରାମର କିଛି ଲୋକ ଗଣ୍ଡଗୋଳ କରୁଥିଲେ। ରୋଜି ସ୍ବାମୀଙ୍କୁ ସେମାନଙ୍କ କବଳରୁ ଛଡାଇବାବେଳେ ଜଣେ ବ୍ୟକ୍ତି ତାଙ୍କୁ ଧକ୍କା ଦେଇଥିଲେ।

ଘଟଣା ଦିନ ରୋଜିଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବାବେଳେ ଅନ୍ୟ ଗୋଷ୍ଠୀ ମଧ୍ୟ ପାଲଟା ଏତଲା ଦେଇଥିଲେ । ଥାନାରେ ୧୧୬/୧୯ରେ ପୋଲିସ ମାମଲା ରୁଜୁ କରିଥିଲା । ଘଟଣାରେ ସମ୍ପୃକ୍ତ କିଛି ଲୋକଙ୍କୁ ପୋଲିସ୍ ପଚରାଉଚୁରା ଜାରି ରଖିଛି । ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗିରହିଛି।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details