ଫୁଲବାଣୀ: ଏକତରଫା ପ୍ରେମରୁ ଅପହରଣ । ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଅପହରଣ ପରେ ପୋଲିସ ନିକଟରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ପିପଲପଡା ଗାଁର ଅଚ୍ୟୁତ ନାଏକ । ଗତ ୨ତାରିଖ ସନ୍ଧ୍ୟାରେ ଅଚ୍ୟୁତ ଜିଲ୍ଲାର ଫିରିଙ୍ଗିଆ ଗାୟତ୍ରୀ ମନ୍ଦିର ନିକଟରୁ ସ୍ବାସ୍ଥ୍ୟକର୍ମୀଙ୍କୁ ଅପରହଣ କରିନେଇଥିଲେ । ହେଲେ ପୋଲିସ ଭୟରେ ଗତକାଲି ସ୍ବାସ୍ଥ୍ୟକର୍ମୀ ଜଣଙ୍କୁ ଧରି ଫିରିଙ୍ଗିଆ ଥାନାରେ ଆତ୍ମସମର୍ପଣ କରିଛନ୍ତି ।
ସୂଚନା ଅନୁସାରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଉକ୍ତ ସ୍ବାସ୍ଥ୍ୟକର୍ମୀ ଜଣଙ୍କ ଗତ ୨ତାରିଖ ଦିନ ସନ୍ଧ୍ୟା ସମୟରେ ଡିୟୁଟି ସାରି ଜଣେ ସହଯୋଗୀଙ୍କ ସହ ଘରକୁ ଫେରୁଥିଲେ । ଏହି ସମୟରେ ଗାୟତ୍ରୀ ମନ୍ଦିର ନିକଟରେ ଏକ କାରରେ କିଛି ଯୁବକ ତାଙ୍କୁ ଜୋର ଜବରଦସ୍ତ ଅପହରଣ କରିନେଇ ଥିଲେ । ଏନେଇ ସ୍ୱାସ୍ଥ୍ୟକର୍ମୀଙ୍କ ବାପା ଫିରିଙ୍ଗିଆ ଥାନାରେ ଅପହରଣ ଅଭିଯୋଗ କରିଥିଲେ। ଏତଲା ଆଧାରରେ ଫିରିଙ୍ଗିଆ ଥାନା ଅଧିକାରୀ ତଦନ୍ତ ଜାରି ରଖିଥିବାବେଳେ ଗତକାଲି ପୋଲିସର ଗିରଫ ଦାରି ଭୟରେ ଅଭିଯୁକ୍ତ ଜଣକ ଅପହୃତା ସ୍ୱାସ୍ଥ୍ୟକର୍ମୀଙ୍କୁ ଧରି ଥାନାରେ ଆତ୍ମ ସମର୍ପଣ କରିଛନ୍ତି ।