ଫୁଲବାଣୀ:ବିଲୁପଦର ଗାଁରେ ଗୁଳିକାଣ୍ଡ ଘଟଣାରେ (firing case) ଚାରି ଜଣକୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ । ଏହା ସହିତ ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଡିମିରିଗୁଡା ପଞ୍ଚାୟତର ସଞ୍ଜୟ ସାହାଣୀ, ସୁନ୍ଦରସିଂ ସାହାଣୀ, ସୁମନ କହଁର ଓ ନୂଆପଦର ପଞ୍ଚାୟତର ଅକ୍ଷୟ ବେହେରା । ତେବେ ଗୋରୁ ବ୍ୟବସାୟକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି ।
ବିଲୁପଦର ଗାଁରେ ଗୁଳିକାଣ୍ଡ ଘଟଣା, ଗୋଟିଏ ଦେଶୀ ବନ୍ଧୁକ ଜବତ ସହ ଚାରି ଗିରଫ ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନୁଆଁପଦର ପଞ୍ଚାୟତ ବିଲୁପଦର ଗାଁରେ ସୋମବାର ସନ୍ଧ୍ୟା 5ଟା ବେଳେ ବିଲୁପଦର ଗାଁର ମହେଶ୍ୱର ସାହାଣୀ ନାମକ ଜଣେ ବ୍ୟକ୍ତିଙ୍କ ଭଉଣୀ ପ୍ରଭାସିନୀ ସାହାଣୀ (22) ଓ ତାଙ୍କ 10 ବର୍ଷର ପୁଅ ସଭାଜନ ସାହାଣୀ ଘର ବାରଣ୍ଡାରେ ବସିଥିଲେ । ହଠାତ୍ ଚାରିରୁ ପାଞ୍ଚ ଜଣ ବ୍ୟକ୍ତି ଆସି ମହେଶ୍ୱର ସାହାଣୀଙ୍କ ଉପରକୁ ଅତର୍କିତ ଗୁଳି ଚଳାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ତେବେ ଏହି ଗୁଳି ମହେଶ୍ବରଙ୍କୁ ନ ବାଜି ପାଖରେ ଥିବା ତାଙ୍କ ଭଉଣୀ ପ୍ରଭାସିନୀ ଓ ପୁଅ ସଭାଜନଙ୍କ ଦେହରେ ବାଜିଥିଲା । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଉଭୟ ମାଆ ପୁଅ ଗୁରୁତର ଆହତ ହୋଇଥିଲେ ।
ପ୍ରଭାସିନୀଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ସଭାଜନଙ୍କ ପେଟରେ ଗୁଳି ବାଜିଛି । ଖବରପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ପହଁଞ୍ଚିଥିଲେ । ପରେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରା ଭର୍ତ୍ତି କରାଯାଇଥିଲା । ତେବେ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଫୁଲବାଣୀ ମେଡିକାଲରେ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଏବେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ସେପଟେ ଘଟଣା ବାବଦରେ ମହେଶ୍ୱର ସାହାଣୀ କହିଛନ୍ତି ସୋମବାର ସକାଳୁ ଗୋରୁ ବ୍ୟବସାୟକୁ କେନ୍ଦ୍ର କରି କିଛି ଲୋକଙ୍କ ଗଣ୍ଡଗୋଳ ହୋଇଥିଲା । ସେହି ଘଟଣାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଫିରିଙ୍ଗିଆ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହ ଗୁଳିକାଣ୍ଡ ଘଟାଇ ଥିବା ଦୁର୍ବୃତ୍ତମାନଙ୍କୁ ଧରିବାପାଇଁ ପ୍ରୟାସ କରିଥିଲା । ମଙ୍ଗଳବାର ଅଭିଯୁକ୍ତ ଚାରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ।
ଇଟିଭି ଭାରତ, ଫୁଲବାଣୀ