ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ଶୁକ୍ରବାର ଦିନ ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ଘୁ ଉଦୟଗିରି ବ୍ଲକର ନିଲୁଙ୍ଗିଆ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୩ ଜଣ ଆହତ ହୋଇଥିଲେ । ଏହାପରେ ବାଲିଗୁଡା ଅଞ୍ଚଳରେ ଆଉ ଏକ ବାଇକ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ନୂଆଗାଁ ବ୍ଲକ ବିରନ୍ଦାପଡ଼ା ଗ୍ରାମର ଚିତ୍ତରଞ୍ଜନ ପ୍ରଧାନ ଏବଂ ଘୁ ଉଦୟଗିରି ବ୍ଲକ କତିଙ୍ଗିଆ ଗ୍ରାମର ବୈକୁଣ୍ଠ ପ୍ରଧାନ ନାମକ ଦୁଇ ଜଣ ବ୍ୟକ୍ତି ଏକ ହୋଣ୍ଡା ହୋର୍ନେଟ ବାଇକରେ ଯାଉଥିବା ବେଳେ ମଣ୍ଡାକିଆ ପଞ୍ଚାୟତ ଅନ୍ତର୍ଗତ ବୁଦ୍ରୀଙ୍ଗିଆ ଗ୍ରାମର ରାଜୀବ ପ୍ରଧାନ ଏବଂ ଜ୍ଞାନଚନ୍ଦ୍ର ପ୍ରଧାନ ଲାଇଟ୍ ନଥିବା ଅନ୍ୟ ଏକ ବାଇକରେ ମୋବାଇଲ ଲାଇଟ୍ ସାହାଯ୍ୟରେ ବିପରୀତ ଦିଗକୁ ଆସୁଥିଲେ । ଏହି ସମୟରେ ନିଲୁଙ୍ଗିଆ ବୁଲାଣି ନିକଟରେ ଉଭୟ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ଏହାଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ୪ ଜଣ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଘୁ ଉଦୟଗିରି ଚିକିତ୍ସାଳୟକୁ ଆଣିଥିଲା । ସେଠି ମଧ୍ୟରୁ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ବୈକୁଷ୍ଣ ପ୍ରଧାନ । ଏବେ ଅନ୍ୟ ୩ ଜଣଙ୍କ ଚିକିତ୍ସା ଜାରି ରହିଛି ।