ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଏଥର ବିଜେଡି କ୍ଲିନ୍ ସୁଇପ୍ କରିଛି । ଏହି ବିରାଟ ବିଜୟ ପରେ ବର୍ତ୍ତମାନ ଜିଲ୍ଲା ପରିଷଦ ସଭାପତି କିଏ ହେବ ସେନେଇ ବିଜେଡି ଶିବିରରେ ଜୋର ଧରିଛି ଚର୍ଚ୍ଚା । କଳାହାଣ୍ଡି ଜିଲ୍ଲାର ୩୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩୩ଟି ଆସନରେ ବିଜେଡି ବାଜିମାତ କରିଥିବା ବେଳେ କଂଗ୍ରେସ ଗୋଟିଏ ଓ ବିଜେପି ୨ଟି ଆସନ ପାଇ ନିରାଶ ହେବାକୁ ପଡ଼ିଛି । ୩୩ଟି ଆସନରେ ବିଜେଡି ବିଜୟ ଲାଭ କରିଥିବା ବେଳେ ଦ୍ବିତୀୟ ଥର ପାଇଁ ଜିଲ୍ଲା ପରିଷଦ ଗଠନ କରିବାକୁ ଦଳକୁ ଜନମତ ମିଳିଛି ।
ପୂର୍ବରୁ ୨୦୧୨ ମସିହାରେ ବିଜେଡି ପ୍ରାର୍ଥନୀ ମାଝୀ ଜିଲ୍ଲା ପରିଷଦ ସଭାପତି ଥିଲେ । ବର୍ତ୍ତମାନ ୨୦୨୨ ମସିହାରେ ବିଜେଡି ଦ୍ୱିତୀୟ ଥର ପାଇଁ ଜିଲ୍ଲା ପରିଷଦ ଗଠନ କରିବ । ୧୯୬୧ ମସିହାରେ ଗଣତନ୍ତ୍ର ଦଳ ପରିଷଦ ପକ୍ଷରୁ ବୀରେନ୍ଦ୍ର ନାରାୟଣ ସିଂହଦେଓ ପ୍ରଥମ ଜିଲ୍ଲା ପରିଷଦ ସଭାପତି ଥିଲେ । ୧୯୯୭ ମସିହାରେ ସମତା ପାର୍ଟି ପକ୍ଷରୁ ଶିବ ଶଙ୍କର ପଟ୍ଟନାୟକ ସଭାପତି ଥିଲେ । ୨୦୦୨ ମସିହାରେ ବିଜେପିର ଶର୍ମିଷ୍ଠା ମେହେର ସଭାପତି ଥିଲେ । ୨୦୦୭ ମସିହାରେ ଶରତ ନାଏକ ସ୍ବାଧୀନ ଭାବେ ଜିତି କଂଗ୍ରେସ ସମର୍ଥନରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୨୦୧୭ ମସିହାରେ ବିଜେପିରୁ ନମିତାରାଣୀ ସାହୁ ସଭାପତି ରୂପେ ନିର୍ବାଚିତ ହୋଇଥିଲେ ।
ଚଳିତ ନିର୍ବାଚନରେ ପୂର୍ବତନ ବିଜେପି ସଭାପତି ନମିତାରାଣୀ ସାହୁ ଓ ଶର୍ମିଷ୍ଠା ମେହେର ନିର୍ବାଚନରେ ପରାଜିତ ହୋଇଛନ୍ତି । ଗତ ୨୦୧୭ ମସିହା ନିର୍ବାଚନରେ ବିଜେଡି ମାତ୍ର ଗୋଟିଏ ଆସନରେ ବିଜୟ ଲାଭ କରିଥିଲା । ଜଣେ ମାତ୍ର ବିଜେଡି ଜିଲ୍ଲାପରିଷଦ ସଦସ୍ୟ ଭାବେ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ବିଜୟ ଲାଭ କରିଥିଲେ । ୨୦୧୯ ମସିହାରେ ପୁଞ୍ଜେନ୍ଦ୍ର କୁମାର ସିଂହଦେଓ ନର୍ଲା ବିଧାନସଭା ନିର୍ବାଚନୀ ମଣ୍ଡଳୀ ନିମନ୍ତେ ଦଳୀୟ ଟିକଟ୍ ଆବେଦନ କରିଥିଲେ । ଶେଷ ମୁହୂର୍ଷରେ ଭୂପିନ୍ଦର ସିଂହଙ୍କୁ ନର୍ଲା ବିଧାୟକ ପ୍ରାର୍ଥୀ ଭାବେ ଦଳ ଟିକଟ୍ ଦେଇଥିଲା । ପୁଷ୍ପେନ୍ଦ୍ରଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଭାବେ ଦାୟିତ୍ବ ଦେଇଥିଲା ବିଜେଡି ।