ଭବାନୀପାଟଣା:ନୂଆଁଖାଇ ଦିନ ଯୁବକଙ୍କୁ ହତ୍ୟା ଘଟଣା । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହତ୍ୟା କରାଯାଇଥିବା ଯୁବକ ହେଉଛନ୍ତି ବଳଦିଆମାଲ ଗାଁର ମାନସ ମେହେର । ଭାଇରାଲ ହୋଇଥିବା ଭିଡିଓରେ ରାସ୍ତା ମଝିରେ ଦୁଇଟି ବାଇକ ଧକ୍କା ହେବା ପରେ ସମସ୍ତେ ତଳେ ପଡିଯାଉଥିବା ଦେଖିବାକୁ ମିଳିଛି । ପ୍ରଥମ ବାଇକଟିରେ ଥିଲେ ମୃତ ମାନସ । ମାନସ ବସିଥିବା ବାଇକଟି ହଠାତ୍ ବାମ ପଟୁ ଆସି ରାସ୍ତାର ଡାହାଣ ପଟକୁ କ୍ରସିଂ କରୁଥିବା ବେଳେ ପଛପଟେ ଦୃତ ଗତିରେ ଆସୁଥିବା ବାଇକ ସହିତ ଧକ୍କା ହୋଇଥିଲା । ଦୁଇଟି ବାଇକ ଧକ୍କା ହେବା ପରେ ସମସ୍ତେ ତଳେ ପଡିଯାଇଥିଲେ । ଏହାପରେ ଜଣେ ବାଇକ ଆରୋହି ଅନ୍ୟ ଜଣେ ବାଇକ ଆରୋହି ମାନସ ମେହେରଙ୍କୁ ଗୋଡେଇ ଗୋଡେଇ ମାଡ ମାରୁଥୁବା ଦେଖିବାକୁ ମିଳିଛି । ଏହା ପରେ ରାସ୍ତାରେ ଲୋକଙ୍କ ଭିଡ ଜମିଥିବା ମଧ୍ୟ ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ନୂଆଁଖାଇ ପାଇଁ ଚାରିଆଡେ ଆନନ୍ଦ ଚାରିଆଡେ ଆନନ୍ଦ, ଉଲ୍ଲାସ ରହିଥିବାବେଳେ ଜିଲ୍ଲାର ଜୁନାଗଡ଼ ଥାନା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଥିଲା । ମାନସ ମେହେର ଓ ତାଙ୍କ ଜଣେ ବନ୍ଧୁ ବାଇକରେ ଜୁନାଗଡ଼ ସହରରୁ ଘରକୁ ଫେରୁଥିଲେ । ଏହି ସମୟରେ ନୂଆ ବସଷ୍ଟାଣ୍ଡ ନିକଟରେ ଅନ୍ୟ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଏହି ସମୟରେ ଅନ୍ୟ ବାଇକରେ ବସିଥିବା ଯୁବକମାନେ ଉତ୍ୟକ୍ତ ହୋଇ ମାନସକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ମାନସ ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ ଜୁନାଗଡ଼ ସରକାରୀ ଡାକ୍ତରଖାନା ଓ ପରେ ରାୟପୁରଙ୍କୁ ନିଆଯାଇଥିଲା । କିନ୍ତୁ ବାଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।