ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ପୋଲିସର ଜୁଲୁମ ! ଦିନକ ପୂର୍ବରୁ ମଦନପୁର ରାମପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ପୋଲିସ ହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ପୁଣିଥରେ ପୋଲିସ ବିରୋଧରେ ଆଉ ଏକ ଅଭିଯୋଗ ଆସିଛି । ମୋବାଇଲ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ଥାନାକୁ ଆଣି ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଯୁବକଙ୍କ ଶରୀରରେ ମାଡ ଚିହ୍ନ ଥିବାବେଳେ ଗୋଡ ଫୁଲି ଯାଇଥିବା ଦେଖିବାକୁ ମିଳିଛି । ଯେଉଁ କାରଣରୁ ସେ ଭଲ ଭାବେ ଚାଲି ପାରୁନାହାନ୍ତି । ଏନେଇ ପୀଡିତ ଯୁବକଙ୍କ ପରିବାର ଲୋକେ ଥାନାର ଦ୍ବାରସ୍ଥ ହୋଇ ପୋଲିସ ବିରୋଧରେ ଅଭିଯୋଗ କରିଛନ୍ତି । ମାଡ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଗତ ୧ ତାରିଖ ଦିନ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଲଗାଁରେ ଏକ ମୋବାଇଲ ଚୋରି ମାମଲାରେ ସେହି ଗାଁର ଯୁବକ ଦେବେନ୍ଦ୍ର ଛତ୍ରୀଆଙ୍କୁ ପୋଲିସ ଥାନାକୁ ଆଣିଥିଲା । ଦିନକ ପରେ ସେ ଥାନାରୁ ବାହାରିବା ପରେ ତାଙ୍କର ଗୋଡ, ହାତ, ପିଠିରେ ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା । ଯୁବକଙ୍କ ଗୋଡ ଫୁଲି ଯାଇଥିଲା । ଏହାଦେଖି ପରିବାର ଲୋକେ ପଚାରିବାରୁ ପୋଲିସ ନିର୍ମମ ଭାବେ ମାଡ ଦେଇଥିବା ଦେବେନ୍ଦ୍ର କହିଥିଲେ ।
ପୋଲିସର ଏଭଳି ବର୍ବରତାକୁ ବିରୋଧ କରି ଗତକାଲି(ଗୁରୁବାର) ପୀଡିତଙ୍କ ପରିବାର କିଛି ଗାଁ ଲୋକଙ୍କ ସହ ସଦର ଥାନାରେ ଆସି ଅଭିଯୋଗ କରିଛନ୍ତି । ଦେବେନ୍ଦ୍ରଙ୍କୁ ମାଡ ଦେଇଥିବା ତିନି ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି କଳାହାଣ୍ଡି ଏସପିଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ।