ଭବାନୀପାଟଣା: ଜିଲ୍ଲାରେଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା । ହତ୍ୟାକଣ୍ଡ ଅଭିଯୋଗରେ ରାଜ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ । ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରିବାର ଲୋକ । ଠିକା କ୍ୟାମ୍ପରେ ଶ୍ରମିକ ଜୀବନ୍ତ ଦଗ୍ଧ ଘଟଣାରେ ହତ୍ୟା ଅଭିଯୋଗ ଆଣି ପରିବାର ରାଜ ରାସ୍ତାରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହତ୍ୟାକାରୀକୁ ଗିରଫ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଳିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ଏହା ସହ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି ସେ ଦିନ ମଧ୍ୟ ଆନ୍ଦୋଳନ କରିବେ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ଗାଁରେ ଥିବା ଠିକାଦାର ରାଜେଶ ଠାକୁରଙ୍କ ଠିକା କ୍ୟାମ୍ପରେ ଗତକାଲି (ସୋମବାର) ନିଆଁ ଲାଗିଥିବା ସେଠାରେ ନିଯୁକ୍ତ ଥିବା ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଥିଲେ । କାଶୀବାହାଲ ଗାଁର ପ୍ରଦୀପ କେତକୀ ମାଣିଙ୍ଗ ପଦରରୁ ଦେପୁରକୁ ସଂଯୋଗ କରୁଥିବା ରାସ୍ତା କାମରେ ଦିନ ମଜୁରିଆ ଭାବରେ କାମ କରିବା ସହ ଠିକା କ୍ୟାମ୍ପରେ ଦେଖାଶୁଣା କରୁଥିଲେ। ହେଲେ କୌଣସି କାରଣରୁ ହଠାତ କ୍ୟାମ୍ପରେ ନିଆଁ ଲାଗି ଯାଇଥିଲା। ଫଳରେ କ୍ୟାମ୍ପ ଭିତରେ ଥିବା ଶ୍ରମିକ ପ୍ରଦୀପ କେତକୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ପ୍ରଦୀପଙ୍କୁ ବଞ୍ଚାଇ ପାରିନଥିଲେ। ଏନେଇ ଶ୍ରମିକମାନେ ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।