କଳାହାଣ୍ଡି: ସୁରୁଖୁରୁରେ ଚାଲିଛି 2019 ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏହିକ୍ରମରେ ଆଜି କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ଭୋଟଗ୍ରହଣ । ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ ଭାଗିଦାର କରିବା ପାଇଁ ସମସ୍ତେ ଆଗ୍ରହୀ । ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ଠାରେ ଉତ୍ସାହ ଏବଂ ଉଦ୍ଦୀପନା ଦେଖିବାକୁ ମିଳିଛି ।
ଗୁରୁବାର ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା ମତଦାନ କେନ୍ଦ୍ର । ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପହଞ୍ଚି ଯାଇଥିଲେ ମତଦାନ କେନ୍ଦ୍ରରେ । ସବୁଠାରୁ ବେଶୀ ଉତ୍ସାହିତ ଥିଲେ ନବଗତ ଭୋଟର । ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗଣତନ୍ତ୍ରର ଏହି ମହାନ ପର୍ବରେ ଭାଗିଦାର ହୋଇ ମତଦାନ କରିବାକୁ ଆଗେଇ ଆସିଥିଲେ ସମସ୍ତବର୍ଗର ଭୋଟର
ଚଳିତ ନିର୍ବାଚନକୁ ନେଇ ବେଶ ସତର୍କ ଥିଲା କଳାହାଣ୍ଡି । ଆଜି ମତଦାନ ଥିବାରୁ ଗତକାଲି ଠାରୁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଯାଇଥିଲା । ଜିଲ୍ଲାରେ ଥିବା ମୋଟ ୧୪୦୫ ପୋଲିଂ ବୁଥରେ ପୋଲିଂ ଅଫିସର ଭୋଟଦାନ ପାଇଁ ଆବଶ୍ୟକୀୟ ଉପକରଣ ସହ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଛନ୍ତି । ଏଥିସହିତ ମାଓପ୍ରବଣ ସମସ୍ତ ବ୍ଲକରେ ପୋଲିଂ କର୍ମଚାରୀଙ୍କୁ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।