ଓଡିଶା

odisha

ETV Bharat / state

ବିକାଶର ବାଟ ଚାହିଁଛି ତୁମୁଣିଖୋଲ ଗାଁ, ଲୋକଙ୍କୁ ମିଳୁନି ମୌଳିକ ସୁବିଧା - ଥୁଆମୂଳ ରାମପୁର ବ୍ଲକର ତୁମୁଣିଖୋଲ ଗାଁ

କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ତୁମୁଣିଖୋଲ ଗାଁରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ଗାଁକୁ ଯିବା ଆସିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନଥିବା ବେଳେ ପିଇବା ପାଇଁ ଭଲ ପାଣି ଟିକିଏ ମଧ୍ୟ ପାଉନାହାନ୍ତି ଆଦିବାସୀ ଲୋକେ । ଗାଁର ପିଲାମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ସେପଟେ ଆଜି ପର୍ଯ୍ୟନ୍ତ ଗାଁରେ ବିଜୁଳି ମଧ୍ୟ ପହଞ୍ଚି ପାରିନି । ଅଧିକ ପଢ଼ନ୍ତୁ

ତୁମୁଣିଖୋଲ ଗାଁରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ
ତୁମୁଣିଖୋଲ ଗାଁରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

By

Published : Feb 5, 2023, 10:12 PM IST

ତୁମୁଣିଖୋଲ ଗାଁରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ଭବାନୀପାଟଣା: ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଆଜି ମଧ୍ୟ ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଲୋକେ । ବଣ ଜଙ୍ଗଲ ମଧ୍ୟରେ ଥିବା କିଛି ଗାଁର ଲୋକେ ଆଜି ମଧ୍ୟ ବଞ୍ଚୁଛନ୍ତି ଅଭିଶପ୍ତ ଜୀବନ । ଏଭଳି ଏକ ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ତୁମୁଣିଖୋଲ ଗାଁ ।

ଗାଁକୁ ନାହିଁ ରାସ୍ତା,ଭଗବାନଙ୍କ ଭରସାରେ ରୋଗୀ: ଏହି ଗାଁକୁ ଯିବାକୁ ହେଲେ ପାରି ହେବାକୁ ପଡେ ଦୁଇଟି ପାହାଡ଼ । ଆବଡାଆବଡା ପଥର ରାସ୍ତା ଦେଇ ୩ କିଲୋମିଟର ଚାଲିଚାଲି ଗଲେ ପଡେ ଗାଁ । ଆଉ ଗାଁକୁ ଦେଖିଲେ ଲାଗେ ସତେ ଯେମିତି ଅଭିଶପ୍ତ ଜୀବନ ଜୀଉଁଛନ୍ତି ଗ୍ରାମବାସୀ । ତୁମୁଣିଖୋଲ ଗାଁର ଜନସଂଖ୍ୟା ପ୍ରାୟ ୨ ଶହ । ବ୍ଲକ ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ରହିଛି ଏହି ଗାଁ । ମୁଖ୍ୟ କଥା ହେଉଛି ଥୁଆମୂଳ ରାମପୁର ବ୍ଲକରେ ଏହି ଗାଁ ଆସୁଥିବା ବେଳେ ଏହି ଗାଁକୁ ଯିବାକୁ ହେଲେ କଲମପୁର ବ୍ଲକ ଦେଇ ଯିବାକୁ ପଡେ । କାରଣ ଏହି ଗାଁକୁ ସିଧାସଳଖ ରାସ୍ତା ଖଣ୍ଡିଏ ନାହିଁ । ନିଜର ନିତିଦିନିଆ କାମ ହେଉ ବା ପଞ୍ଚାୟତ କାର୍ଯ୍ୟାଳୟକୁ ପିଡିଏସ ସାମଗ୍ରୀ ପାଇଁ ଯିବାକୁ ହେଲେ ଗ୍ରାମବାସୀଙ୍କୁ ପ୍ରଥମେ ଏହି ପାହଡ଼ିଆ ରାସ୍ତାରେ ଚାଲିଚାଲି ଯିବାକୁ ପଡେ ।

୮ ବର୍ଷ ହେଲା ସ୍କୁଲ ବାରଣ୍ଡା ମାଡି ନାହାନ୍ତି ଶିକ୍ଷକ, ପିଇବାକୁ ମିଳୁନି ପାଣି: କାହିଁ କେଉଁ କାଳରୁ ତୁମୁଣିଖୋଲ ଗାଁରେ ସ୍କୁଲ ଗୃହଟେ ରହିଛି । ତାହା ପୁଣି ଗତ ୫ ବର୍ଷ ତଳେ ବର୍ଷାରେ ଭାଙ୍ଗି ଯାଇଛି । ଏହାସହ ସ୍କୁଲରେ ନିଯୁକ୍ତ ଥିବା ଶିକ୍ଷକ ୮ ବର୍ଷ ହେଲା ସ୍କୁଲ ବାରଣ୍ଡା ମାଡି ନଥିବା କହିଛନ୍ତି ଗ୍ରାମବାସୀ । ଫଳରେ ଶିକ୍ଷାରୁ ବଞ୍ଚିତ ଏଠାକାର ଛାତ୍ରଛାତ୍ରୀ । ସେପଟେ ଗ୍ରାମବାସୀ ପିଇବା ପାଣି ଟିକକ ପାଇଁ ବର୍ଷ ତମାମ ହନ୍ତସନ୍ତ ହୋଇ ପଡନ୍ତି । ଗାଁରେ ଗୋଟିଏ ହେଲେ ନଳକୂପ ନାହିଁ । ଫଳରେ ନାଳର ଦୂଷିତ ପାଣି ପିଇବା ପାଇଁ ବାଧ୍ୟ ହୋଇଥାନ୍ତି ଗ୍ରାମବାସୀ । ପାଣି ପାଇଁ ମୁଣ୍ଡରେ ଗରା ଧରି ଗାଁ ଠାରୁ ୨ କିଲୋମିଟର ଦୂରରେ ଥିବା ନାଳକୁ ଆଦିବାସୀ ମହିଳାଙ୍କ ଲମ୍ବା ଲାଇନ ଲାଗିଥାଏ । ସେପଟେ ଗାଁରେ ଆଜି ପର୍ଯ୍ୟନ୍ତ ବିଜୁଳି ମଧ୍ୟ ପହଞ୍ଚି ପାରିନାହିଁ ।

'ରାସ୍ତା ନିର୍ମାଣ ହେଲେ ସବୁ ସମସ୍ୟାର ସମାଧାନ ହୋଇଯିବ': ଏହି ଗ୍ରାମବାସୀ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ସ୍ବୀକାର କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ । ସେ କହିଛନ୍ତି, "ଗାଁକୁ ରାସ୍ତା ନଥିବା କାରଣରୁ ଏହି ସବୁ ସମସ୍ୟା ରହିଛି । ଲୋକେ ମୌଳିକ ସମସ୍ୟାରୁ ବଞ୍ଚିତ ହେଉଛନ୍ତି । ଭଲ ରାସ୍ତା ନିର୍ମାଣ ହେବା ପରେ ଲୋକଙ୍କ ପାଖରେ ସରକାରଙ୍କ ସମସ୍ତ ବିକାଶ ଯୋଜନା ପହଞ୍ଚିବ ।" ତେବେ କଳାହାଣ୍ଡି ଜିଲ୍ଲାରେ ଏହା ଗୋଟିଏ ଗାଁ ନୁହେଁ । ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକ ଭଳି ଦୁର୍ଗମ ଅଞ୍ଚଳରେ ଏଭଳି ଅନେକ ଗାଁର ଅବସ୍ଥା ସମାନ । ନିତିଦିନିଆ ସଉଦା ହେଉ ଅବା ପଞ୍ଚାୟତକୁ ରାସନ ଆଣିବା ହେଉ, ଚାଲିକି ଯିବାକୁ ହୁଏ ମାଇଲମାଇଲ ବାଟ । ତେବେ ତୁମୁଣିଖୋଲବାସୀ ବିକାଶର ସ୍ରୋତରେ କେବେ ସାମିଲ ହେବେ, ତାହାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details