ଓଡିଶା

odisha

By

Published : Feb 12, 2023, 10:26 AM IST

ETV Bharat / state

ବିଲାମାଲ ଗାଁକୁ ବାଟ ଭୁଲିଛି ବିକାଶ: ମିଳୁନି ମୌଳିକ ସୁବିଧା, ହନ୍ତସନ୍ତ ଲୋକେ

କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳ ବିଲାମାଲ ଗାଁ। ଏହି ଗ୍ରାମରେ ବିକାଶ ଯେମିତି ମାଟି ମାଡି ପାରିନି । ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ରାସ୍ତା ଘାଟ ଠାରୁ ଆରମ୍ଭ କରି ଶିକ୍ଷା ପାନୀୟ ଜଳ ସମସ୍ୟାରେ ଜର୍ଜରିତ ଗ୍ରାମବାସୀ ।

villagers allegedly not getting basic facilities
villagers allegedly not getting basic facilities

ବିକାଶର ବହୁ ଦୂରରେ ବିଲାମାଲ ଗାଁ

ଭବାନୀପାଟଣା:ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଭିନ୍ନ ଯୋଜନା ମାଧ୍ୟମରେ କିପରି ଉପାନ୍ତ ଅଞ୍ଚଳ ଗୁଡିକର ବିକାଶ ହୋଇପାରିବ ସେନେଇ ଯୋଜାନ ପରେ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ଆଜି ମଧ୍ୟ ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଲୋକେ । ଫଳରେ ଆଜିର ଦିନରେ ମଧ୍ୟ ଅଭିଶପ୍ତ ଜୀବନ ବଞ୍ଚିବାକୁ ପଡୁଛି । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଉପାନ୍ତ ଇଲାକା ବିଲାମାଲ ଗାଁର କଥା ।

ଏହି ଗାଁରେ ବସବାସ କରନ୍ତି ପ୍ରାୟ ୨୫୦ ପରିବାର । ହେଲେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଲୋକେ । ଗମନାଗମନ, ରାସ୍ତାଘାଟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ ସେବାରୁ ବଞ୍ଚିତ ଗ୍ରାମବାସୀ । ଏହି ଗ୍ରାମକୁ ଯିବାକୁ ହେଲେ ପାରି ହେବାକୁ ପଡେ ଦୁଇଟି ପାହାଡ଼ । ଆବଡାଖାବଡା ପଥର ରାସ୍ତା ଦେଇ ୫ କିଲୋମିଟର ପାଦରେ ଚାଲି ଚାଲି କିମ୍ବା ବହୁ କଷ୍ଟରେ ବାଇକ ଯୋଗେ ଗଲେ ପଡେ ବିଲାମାଲ ଗାଁ । ଆଉ ଗାଁକୁ ଦେଖିଲେ ଲାଗେ ସତେ ଯେମିତି ଅଭିଶପ୍ତ ଜୀବନ ବିତାଉଛନ୍ତି ଗ୍ରାମବାସୀ ।

ଗାଁକୁ ଭଲ ରାସ୍ତାଟିଏ ନଥିବା ବେଳେ ଆମ୍ବୁଲାନ୍ସଟିଏ ମଧ୍ୟ ପହଞ୍ଚିପାରେ ନାହିଁ । ଫଳରେ ସେ ଗର୍ଭବତୀ ହେଉ ଅବା ସାଧାରଣ ରୋଗୀକୁ ଖଟିଆରେ ବୋହି ୧୨ କିଲୋମିଟର ରାୟଗଡ଼ା ଜିଲ୍ଲା କଲ୍ୟାଣିସିଂପୁର ମେଡିକାଲକୁ ଚିକିତ୍ସା ସେବା ପାଇଁ ନେଇଥାନ୍ତି ଗ୍ରାମବାସୀ । କେବଳ ଯେ ରାସ୍ତାର ସମସ୍ୟା ତାହା ନୁହେଁ ଗାଁରେ ଆଜି ପର୍ଯ୍ୟନ୍ତ ନଳକୂପ ଟିଏ ମଧ୍ୟ ନାହିଁ ଫଳରେ ଦୂଷିତ ପାଣି ପିଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ସକାଳ ହେଲେ କାଖରେ ଗରା ଓ ମାଠିଆ ଧରି ଗାଁ ଠାରୁ ୨ କିଲୋମିଟର ଦୂରରେ ଥିବା ପଥର କଡ଼ରୁ ପାଣି ସଂଗ୍ରହ କରିବା ପାଇଁ ମହିଳାଙ୍କ ଲମ୍ବା ଲାଇନ ଲାଗିଥାଏ ।

ଗାଁ ମୁଣ୍ଡରେ ଥିବା ଚାଷ ଜମି କଡ଼ରେ ଥିବା ପଥର କଡ଼ରୁ ବାହାରୁଛି ଦୂଷିତ ପାଣି ଆଉ ଏହି ପାଣିକୁ ନେଇ ରୋଷେଇ କରିବା ସହ ବ୍ୟବହାର କରିଥାନ୍ତି ଗ୍ରାମବାସୀ। ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ପମ୍ପର ବ୍ୟବସ୍ଥା ଗତ ୩ ବର୍ଷ ତଳେ କରାଯାଇଥିଲା ହେଲେ ତାହାମଧ୍ୟ କିଛି ଦିନ ପରେ ଖରାପ ହୋଇ ଯିବାରୁ ଆଉ ସଜଡା ହୋଇ ପାରିଲା ନାହିଁ । କେବଳ ଯେ ରାସ୍ତା କିମ୍ବା ପାନୀୟଜଳର ସମସ୍ୟା ତାହା ନୁହେଁ ଆଜି ପର୍ଯ୍ୟନ୍ତ ଗାଁରେ ବିଦ୍ୟୁତ୍‌ର ଦେଖା ନାହିଁ । ଫଳରେ ଦୀପ ଆଲୁଆରେ ଅନ୍ଧାର ସହ ଲଢେ଼ଇ କରନ୍ତି ଗ୍ରାମବାସୀ ।

ଏଠାକାର ଲେକେ ନିଜର ଦୈନନ୍ଦିନ ଜୀବନଜାପନ ପାଇଁ କଲ୍ୟାଣିସିଂପୁର ସହର ଉପରେ ନିର୍ଭର କରନ୍ତି । କାରଣ ଗାଁ ଠାରୁ ହାତ ପାହାନ୍ତାରେ କଲ୍ୟାଣିସିଂପୁର ସହର । ଆଉ ନିଜ ବ୍ଲକକୁ ଯିବାକୁ ହେଲେ ପ୍ରାୟ ୯୦ କିଲୋମିଟର ଯିବାକୁ ପଡେ ପଡିଏସ ସାମଗ୍ରୀ ପାଇଁ । ପାହାଡିଆ ରାସ୍ତାରେ ୫ କିଲୋମିଟର ସିଲେଟ ଗାଁକୁ ଗଲେ ମିଳେ ପିଡ଼ିଏସ ସାମଗ୍ରୀ । ସରକାରଙ୍କ ବିକାଶ ମୂଳକ ସ୍ଲୋଗାନ ଗାଁ କୁ ଚାଲ-ଗାଁକୁ ଗଢ ସତେ ଯେମିତି ଏଠିକାର ବାସ୍ତବ ଚିତ୍ରକୁ ଦେଖିଲେ ସ୍ଲୋଗାନଟି ଫିକା ଲାଗୁଛି । ଗାଁର ଗୋଟିଏ ହେଲେ ପିଲା ଆଜି ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ରହିଛନ୍ତି ।

କଳାହାଣ୍ଡିର ଏହି ଗୋଟିଏ ଗାଁ ନୁହେଁ ଏମିତି ଅନେକ ଗ୍ରାମରେ ବିକାଶ ପହଞ୍ଚି ପାରିନି । ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକ ଭଳି ଦୁର୍ଗମ ଇଲାକାରେ ଏଭଳି ଅନେକ ଗାଁ ଅବସ୍ଥା ସମାନ । ନିତିଦିନିଆ ସଉଦା ହଉ ଅବା ପଞ୍ଚାୟତକୁ ରାସନ ପାଇଁ ଚାଲିକି ଯିବାକୁ ହୁଏ ମାଇଲ ମାଇଲ ବାଟ । ଏ ପ୍ରସଙ୍ଗ ନେଇ ଆମେ ଲାଞ୍ଜିଗଡ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ସେହି ଚିରାଚରିତ ଉତ୍ତର ବିକାଶ ପାଇଁ ନିଆଯାଉଛି ପଦକ୍ଷେପ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details