ଭବାନୀପାଟଣା: ହୁତୁହୁତୁ ନିଆଁରେ ଧ୍ବସଂ ହେବାକୁ ବସିଛି ଶୋଭା ବର୍ଦ୍ଧନ କରୁଥିବା ଏହି ସବୁଜ ବନାନୀ । କଳାହାଣ୍ଡି କର୍ଲାପାଟ ସଂରକ୍ଷିତ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ନିଆଁ ଲିଭାଇବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଥିଲେ ବି ନିଆଁର ଆଁରେ ଜଳି ଗଲାଣି ଶହଶହ ମୂଲ୍ୟବାନ ବୃକ୍ଷ । ଜଙ୍ଗଲ ସୁରକ୍ଷା ନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏପରକି ସବୁଜ ବନାନୀ କିପରି ସୁରକ୍ଷିତ ରହିବ ସେନେଇ ନାନା ସଚେତନତା ମଧ୍ୟ ସୃଷ୍ଟି କରୁଛନ୍ତି। ହେଲେ କେତେକ ଅସାଧୁ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ନଷ୍ଟ ହେବାକୁ ବସିଛି ଜୀବ ଜଗତର ଏହି ଅମୂଲ୍ୟ ସମ୍ପଦ ।
୧୭୫ ବର୍ଗ କିଲୋମିଟର ଅଞ୍ଚଳରେ ପରିବେଷ୍ଟିତ କର୍ଲାପାଟ ଅଭୟାରଣ୍ୟ। ଏହାର ସୁରକ୍ଷା ପାଇଁ ରହିଛି ସ୍ବତନ୍ତ୍ର ଅନୁଦାନ । ହେଲେ ସାଧାରଣ ଲୋକଙ୍କ ସଚେତନତା ଅଭାବ ଓ ଜଙ୍ଗଲ ବିଭାଗର ଉଦାସୀନ ମନଭାବ ଯୋଗୁଁ ପ୍ରାୟ ଧ୍ବଂସାଭିମୁଖୀ ଏହି ଅଭୟାରଣ୍ୟ। କେତେବେଳ ଜଙ୍ଗଲରେ ନିଆଁ ଲାଗୁଛି ତ, ଆଉ କେତେ ବେଳେ ମଣିଷ କାଟି ନେଉଛି ବିଶାଳକାୟ ବୃକ୍ଷ । ଅନ୍ୟପଟେ ଜଙ୍ଗଲୀ ଜନ୍ତୁ ଶିକାର ହେଉଥିବା ନେଇ ମଦ୍ୟ ରହିଛି ନଜିର । ପ୍ରଶାସନର ସବୁ ନିଷ୍ପତି ସ୍ବତେ ଆଜି ଅସୁରକ୍ଷିତ ହୋଇପଡ଼ିଛି କର୍ଲାପାଟ ଅଭୟାରଣ୍ୟ ଭଳି ଅନେକ ଜଙ୍ଗଲ ।