ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଣି ଦାଦନ ଦୁଃଖ ଦେଖା ଦେଇଛି । ଗାଁକୁ ଦୁଇ ଜଣ ଦାଦନ ଶ୍ରମିକଙ୍କର ମୃତଦେହ ଫେରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ନେଗିଗୁଡା ଗାଁରେ । ଏହି ଗାଁର ସତ୍ୟ ସୁନା ଗତ ମାସେ ତଳେ ପରିବାର ପ୍ରତିପୋଷଣ ପାଇଁ ଦାଦନ ସର୍ଦ୍ଦାର ସହ ଯୋଗାଯୋଗ କରି ସିକନ୍ଦରାବାଦକୁ ଯାଇଥିଲେ । ସେଠାରେ ସତ୍ୟ ଏକ ଇଟା ଭାଟିରେ ଶ୍ରମିକ ଭାବରେ କାମ ମଧ୍ୟ କରୁଥିଲେ ।
ଗତ ଦୁଇ ଦିନ ତଳେ ଇଟା ଭାଟିରେ କାମ କରୁଥିବା ସମୟରେ ଇଟାଭାଟି ନିଆଁରେ କୌଣସି କାରଣ ପଡି ଯାଇଥିଲେ ସତ୍ୟ । ନିଆଁର ପ୍ରଖର ଏମିତି ଥିଲା ଯେ ତାଙ୍କୁ ଉଦ୍ଧାର କରିବା ମଧ୍ୟ ସାଥି ଶ୍ରମିକ ମାନଙ୍କ ପାଇଁ କଷ୍ଟକର ହୋଇ ପଡିଥିଲା । ହେଲେ କୌଣସି ମତେ ସାଥି ଶ୍ରମିକ ତାଙ୍କୁ ଉଦ୍ଧାର କରି ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଇଟାଭାଟି ମାଲିକ ମୃତ ଦାଦନ ଶ୍ରମିକ ସତ୍ୟ ସୁନାଙ୍କ ପରିବାରକୁ ଖବର ଦେଇଥିଲେ । ଖବରପାଇ ପରିବାର ଲୋକେ ସମ୍ପୃକ୍ତ ଇଟାଭାଟି ମାଲିକଙ୍କ ସହ ଯୋଗାଯୋଗ କରି ମୃତଦେହ ଗାଁକୁ ପଠାଇବା ପାଇଁ ଅନୁରୋଧ କରିଥିଲେ । ହେଲେ ଏ ସମ୍ପର୍କରେ ଇଟାଭାଟି ମାଲିକ କୌଣସି ସହାୟତା ନକରିବାରୁ ଶେଷରେ ଗ୍ରାମବାସୀଙ୍କ ସହାୟତାରେ ଗାଁକୁ ସତ୍ୟଙ୍କ ମୃତଦେହ ଫେରିଛି ।
ସେହିପରି କୋକସରା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗାଁର ତେଜନ ନାଏକ ଗତ ୭ ମାସ ତଳେ ନିଜର ଦୁଇଟି ଛୁଆଙ୍କୁ ଛାଡି ସିକନ୍ଦରାବାଦକୁ ଦାଦନ ଶ୍ରମିକ ଭାବରେ ଯାଇଥିଲେ । ସେଠାରେ ସେ ଓମସାଇ ଗେଲେକ୍ସି ନାମକ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ । କାମ କରି ପ୍ରତ୍ୟେକ ମାସରେ ପରିବାର ପ୍ରତିପୋଷଣ ପାଇଁ ଟଙ୍କା ମଧ୍ୟ ପଠାଉଥିଲେ ।