ଭବାନୀପାଟଣା: କୋରୋନା ଯୋଗୁଁ ଫିକା ପଡ଼ିଲା ଟୋକିମରା ପର୍ବ। ଆଦିବାସୀ ସଂପ୍ରଦାୟର ନିଆରା ପର୍ବ ଟୋକିମରା। ଆଦିବାସୀ ପରମ୍ପରା, ସଂସ୍କୃତି ଚାଲି ଚଳଣୀରେ ଭରି ରହିଛି ଆଦିମ ସଭ୍ୟତାର ନିଦର୍ଶନ । ଆଜିର ଆଧୁନିକ ସମାଜରେ ଯଦିଓ ବେଶଭୂଷାରେ ପରିବର୍ତ୍ତନ ହୋଇଛି, ତଥାପି କନ୍ଧ ସମ୍ପ୍ରଦାୟରେ ବଞ୍ଚି ରହିଛି ଅନେକ ମହାନ ପ୍ରଥା ଓ ପରମ୍ପରା । ଏହି ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ ଟୋକିମରା ପର୍ବରେ ।
ଧରଣୀପେନୁ ବା ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତିଙ୍କ ଦ୍ଵାରା ପ୍ରତି ୧୨ ବର୍ଷ ଅନ୍ତରାଳରେ ଟୋକିମରା ପର୍ବ ପାଳନ ହେଉଥିବା ବେଳେ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ଶାରସମାଲ ଗାଁରେ ଏହି ପର୍ବ କୋଭିଡ୍ କଟକଣା ମାଧ୍ୟରେ ପାଳିତ ହୋଇଛି।
ଟୋକିମରା ପର୍ବ ପୂର୍ବରୁ ପାରମ୍ପରିକ ରୀତିନୀତି ଅନୁସାରେ ଗ୍ରାମ ପୂଜାରୀ, ଜାନି, ଗୁରୁମା, ଗ୍ରାମର ମାଟି ଘର ପାଖରେ ଟୋକିପର୍ବ ପୂଜା କାର୍ଯ୍ୟ ଆରମ୍ଭ କରିବା ସହ ଗ୍ରାମର ଇଷ୍ଟଦେବୀ ଓ ବିଭିନ୍ନ ଦେବା ଦେବୀଙ୍କୁ ଆବାହନ କରିଥାନ୍ତି। ଟୋକିର ପୂର୍ବକ ବୋଦାକୁ ବଳି ଦେଇ ମାଟି ଦେବତାଙ୍କ ନିକଟରେ ସମର୍ପିତ କରନ୍ତି। ପରମ୍ପରା ଅନୁସାରେ ପୌଷମାସ ରବିବାର ଦିନ ପାଳନ କରାଯାଉ ଥିବା ବେଳେ ସ୍ଥାନୀୟ ଆଦିବାସୀ ଭାଷାରେ ଟୋକି ଅର୍ଥାତ କୁଆଁରୀ ଝିଅକୁ ପୂର୍ବକାଳରେ ଧରଣୀପେନୁ ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀମାନେ ବଳି ଦେଉଥିଲେ ବୋଲି ଗବେଷକ ମତ ଦିଅନ୍ତି । କାଳକ୍ରମେ ଏହି ପ୍ରଥା ଉଚ୍ଛେଦ କରାଯାଇ କୁଆଁରୀ ଝିଅ (ଟୋକି) ବଦଳରେ ଗଡରା (ମେଣ୍ଢା)କୁ ଟୋକିର ପ୍ରତୀକ ରୂପେ ବଳି ଦିଆଯାଉଛି। କନ୍ଧ ପରମ୍ପରାର କୃଷି ଭିଭିକ ଟୋକିମରା ପର୍ବ ଏକ ନିଆରା ପର୍ବ। ମାଟି ଦେବତା ହେଉଛନ୍ତି ଏହି ସମ୍ପ୍ରଦାୟର ଆରାଧ୍ୟ ଦେବତା।