ଭବାନୀପାଟଣା:ଆଉ ଶୁଭୁନି ନିହାଣର ଠୁକୁଠୁକୁ ଶବ୍ଦ। ରୋଜଗାର ଛଡାଇ ନେଇଛି ମହାମାରୀ କୋରୋନା। ଜୀବିକା ହରାଇଛନ୍ତି କାଠ କାରିଗର। ବିକ୍ରି ହେଉନି ଉତ୍ପାଦ ମେଣ୍ଟୁନି ଗୁଜୁରାଣ। ଦୁର୍ଦ୍ଦିନରେ ଏବେ ଦିନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଖଇରପଦର ଗାଁ ର କାଠ କାରିଗର। ସୁକ୍ଷ୍ମ କାରିଗରୀ ପାଇଁ ଯେଉଁ ଗାଁରେ ଦିନେ ଗ୍ରାହକଙ୍କ ଗହଳି ଲାଗୁଥିଲା ସେଠି ଆଜି ଖାଁ ଖାଁ। ସତେ ଯେମିତି ଏବେ ସ୍ତବ୍ଧ ହୋଇ ଯାଇଛି ଏହି ଶିଳ୍ପୀ ଗାଁ।
କୋରୋନା କାରଣରୁ ଲକଡାଉନ ସଟଡାଉନ ଜାରୀ ରହିଥିବା ବେଳେ ଏହି ସମୟରେ ଏହି ଶିଳ୍ପୀ ମାନଙ୍କ ଜୀବିକା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି। ଗ୍ରାହକ ଆସୁନଥିବା କାରଣରୁ ସାମଗ୍ରୀ ଗୁଡିକ ପଡି ରହିଛି, ଏଭଳି ପରିସ୍ଥିତିରେ ସରକାରଙ୍କ ତରଫରୁ ସହାୟତା ପାଇଁ ସେମାନେ ନିବେଦନ କରିଛନ୍ତି।