ଭବାନୀପାଟଣା: ଶ୍ରେଣୀ କୋଠରୀରେ ଚାଲିଥିଲା ଶିକ୍ଷାଦାନ । କିନ୍ତୁ ପଢ଼ାଇବା ସମୟରେ ହଠାତ ଟଳି ପଡ଼ିଲେ ଶିକ୍ଷକ । ଶିକ୍ଷକ ଜଣଙ୍କ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଗରୁତର ଆବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି । ଜଣେ କର୍ମଠ ଓ ନିଷ୍ଠାପର ଶିକ୍ଷକଙ୍କୁ ଏମିତି ଅକାଳରେ ହରାଇ ଛାତ୍ରଛାତ୍ରୀଙ୍କ ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ।
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କ୍ଷୀରୋଦ ପଣ୍ଡା ପ୍ରତିଦିନ ଭଳି ଆଜି ମଧ୍ୟ ସ୍କୁଲକୁ ଯାଇଥିଲେ । ସ୍କୁଲରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ । କିନ୍ତୁ ଏତିକି ବେଳେ ହଠାତ ଶିକ୍ଷକ ଜଣକ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାିଥିଲା । ହେଲେ ହୃଦଘାତ ଯୋଗୁଁ ଶିକ୍ଷକ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ଘରଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରାଯାଇଥିଲା । ଗାଁରେ ଶିକ୍ଷକଙ୍କ ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଗାଁ । ପରେ ଗାଁ ମଶାଣିରେ ପରିବାର ଲୋକେ ଓ ଆତ୍ମୀୟ ପରିଜନ ମୃତଦେହର ସତ୍କାର କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ......ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ: ଶିକ୍ଷକ ମୃତ, ୪୦ରୁ ଅଧିକ ଛାତ୍ରଛାତ୍ରୀ ଆହତ