ଭବାନୀପାଟଣା: ସମାଜରେ ଆଜି ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭରି ରହିଛି । ବିଜ୍ଞାନ ଯେତେ ଆଗକୁ ଗଲେ ସଚେତନତାର ଅଭାବରେ ମଣିଷ ଘାଣ୍ଟି ହେଉଛି । ମଣିଷ ସମାଜରେ ରହିବାକୁ ଭଲପାଏ,ସେଇ ସମାଜ ହିଁ ତାର ସୁଖଦୁଃଖର ସାହାରା ପାଲଟିଥାଏ। କିନ୍ତୁ ଯେତେବେଳେ ସମାଜ ମଣିଷକୁ ଦୂରେଇ ଦିଏ ସେତେବେଳେ ସେ ଅସହାୟ ଜୀବନ ଜିଇଁବାକୁ ବାଧ୍ୟ ହୋଇପଡେ । ହେଲେ ସବୁ ବୁଝିପାରୁଥିବା ଏଇ ମଣିଷ ସମାଜ ବେଳେବେଳେ ଅମାନବିକତାର ବଶବର୍ତ୍ତି ହୋଇ ନିରୀହଙ୍କୁ ଯନ୍ତ୍ରଣା ମୁହଁକୁ ଠେଲିଦିଏ ।
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଗାଁରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଦିନେ ନୁହେଁ କି ଦୁଇ ଦିନ ନୁହେଁ 30 ବର୍ଷ ହେବ ପଥର କୁଡିଆରେ ଅଭିଶପ୍ତ ଜୀବନ ବିତାଉଛନ୍ତି କୁଷ୍ଠ ରୋଗୀ କଦମା ମାଝୀ । କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ଯୋଗୁଁ ଗ୍ରାମବାସୀ ତାଙ୍କୁ ଗାଁରୁ ବାସନ୍ଦ କରିଦେଇଛନ୍ତି । ତେଣୁ ଘରଦ୍ବାର ଛାଡି ଗାଁଠାରୁ ପ୍ରାୟ ୧ କିଲୋମିଟର ଦୂର ଏକ ପାହାଡରେ ଏକାକୀ ପଥର କୁଡ଼ିଆରେ ଭାଗ୍ୟ ଆଦରି ପଡ଼ି ରହିଛନ୍ତି । ଦିନକୁ ଦିନ ଏହି ବ୍ୟାଧି ବଢିବାରେ ଲାଗିଥିବା ବେଳେ କଦମାଙ୍କ ଦୁଃଖ ବଢ଼ିବାରେ ଲାଗିଛି । ଖରା, ବର୍ଷା, ଶୀତ ଖାଇ ବର୍ଷ ତମାମ ଆଦିମ ମଣିଷ ଭଳି ଏଇ ପଥର କୁଡିଆରେ ସେ ପଡି଼ ରହିଛନ୍ତି । ମାଗିଯାଚି ଓଳିଏ ଖାଇଲେ ଓଳିଏ ଉପାସରେ ରହୁଛନ୍ତି ।