ଭବାନୀପାଟଣା: କୋରୋନା କବଳରେ ସାରା ଦେଶ । ଲକଡାଉନ ସଟଡାଉନ କଟକଣା ଭିତରେ ବାଜିରେ ଲାଗୁଛି ଜୀବିକା । ପ୍ରଥମ ଲହରର କ୍ଷତ ନ ଶୁଖୁଣୁ ପୁଣି ଦାଉ ସାଧିଛି ଦ୍ବିତୀୟ ଲହର । ଜୀବନ ବଞ୍ଚାଇବା ଚେଷ୍ଟାରେ ଉଜୁଡିଯାଉଛି ଜୀବିକା । ଯାହା ଭିତରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବ୍ୟବସାୟ । କୋରୋନା ପ୍ରଭାବରେ ଦୀର୍ଘ ୧ ବର୍ଷ ହେବ ଅନେକ ଟ୍ରେନ ବନ୍ଦ ରହିଥିବା ବେଳେ କାଁଭାଁ ଟ୍ରେନ ଯାତାୟତ କରୁଛି । ଫଳରେ ରେଳ ଷ୍ଟେସନମାନଙ୍କରେ ଥିବା ଦୋକାନୀଙ୍କ ଅବସ୍ଥା ଏବେ ପୁରା ବେହାଲ । ଟ୍ରେନ ନ ଚଳିବା କାରଣରୁ ଯାତ୍ରୀ ଆସୁନଥିବା ବେଳେ ବ୍ୟବସାୟ ଠପ୍ ହୋଇଯାଇଛି । ଫଳରେ ପରିବାର କିଭଳି ଚାଲିବ ସେନେଇ ଚିନ୍ତାରେ ଷ୍ଟେସନ ଦୋକାନୀ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଳ ଷ୍ଟେସନରୁ ସାମ୍ନାକୁ ଆସିଛି ସେଭଳି କିଛି ଦୃଶ୍ୟ । ଯେଉଁଠି ପ୍ଲାଟଫର୍ମରେ ଥିବା କ୍ଷତିଗ୍ରସ୍ତ ବ୍ୟବସାୟୀ କଟକଣାରେ ବଳି ପଡିଥିବା ଜୀବିକା ଜନିତ ଦୁଃଖ ବଖାଣିଛନ୍ତି ।
କେସିଙ୍ଗା ରେଳ ଷ୍ଟେସନ ଦେଇ ଆଗରୁ ଅନେକ ଟ୍ରେନ ଯିବା ଆସିବା ହେଉଥିଲା । ଏଣୁ ପ୍ରତିଦିନ ଦିନ ହଜାର ହଜାର ଯାତ୍ରୀଙ୍କ ଭିଡ଼ ଜମୁଥିଲା ପ୍ଲାଟଫର୍ମରେ । ଫଳରେ ଷ୍ଟେସନ ପରିସରରେ ଥିବା ବ୍ୟବାସାୟୀମାନେ ବି ଭଲ ଦି ପଇସା ରୋଜଗାର କରି ପେଟ ପୋଷୁଥିଲେ । ହେଲେ କୋରୋନାର ପ୍ରଥମ ଲହର କଟକଣାରେ ଠପ୍ ହୋଇଯାଇଥିଲା ଏମାନଙ୍କ ବ୍ୟବସାୟ । ପରବର୍ତ୍ତୀ ସମୟରେ ଅନଲକ ପର୍ଯ୍ୟାୟରେ କଟକଣା କୋହଳ ପରେ ପୁଣି ବ୍ୟବସାୟୀ ଅଣ୍ଟା ସଳଖୁ ସଳଖୁ ଦ୍ବିତୀୟ ଲହର ସତେ ଯେମିତି ଭାଙ୍ଗି ଦେଇଛି ସେମାନଙ୍କ ମେରୁଦଣ୍ଡ । ଦ୍ବିତୀୟ ଲହରର କଟକଣା ଯୋଗୁଁ ସପ୍ତାହକୁ ତିନି ଦିନରେ ଦୁଇଟି ଟ୍ରେନ କେସିଙ୍ଗା ଦେଇ ଯିବାଆସିବା କରୁଛି । ଫଳରେ ଦିନେ ଯୋଉ ଷ୍ଟେସନ ଯାତ୍ରୀଙ୍କ କୋହାଳହରେ ଫାଟି ପଡୁଥିଲା, ଆଜି କଟକଣାର ତାଲାରେ ତାହା ନିଃସ୍ତବ୍ଧ । ଯେଉଁ କାରଣରୁ ଏଇଠୁ ପେଟ ପୋଷୁଥିବା ବ୍ୟବସାୟୀଙ୍କ ପାଇଁ ଲାଇସେନ୍ସ ଫି ଭରିବା ବି ମୁସ୍କିଲ ହୋଇଯାଇଛି ।