ଓଡିଶା

odisha

Durga Puja Special: ବାଉଁଶ ବଣର ରାଣୀ ମା' ଡୋକରୀ, ପୀଠରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା

By ETV Bharat Odisha Team

Published : Oct 21, 2023, 9:49 PM IST

ବାଉଁଶ ବଣର ଦେବୀ ମା' ଭାବେ ପରିଚିତ ମା' ଡୋକରୀଙ୍କ ପୀଠରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ମା'ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଭକ୍ତଙ୍କ ସମାଗମ ହେଉଛି ।

special rituals at maa dokari temple
ମା' ଡୋକରୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ମା' ଡୋକରୀଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଭବାନୀପାଟଣା:ଶାରଦୀୟ ଦୁର୍ଗାପୂଜା ଅବସରରେ ମହାଆଡମ୍ବରରେ ମା' ଜଗତଜନନୀଙ୍କ ଆରଧନା କରାଯାଉଛି । ରାଜ୍ୟର ବିଭିନ୍ନ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ମା' ଡୋକରୀଙ୍କ ମନ୍ଦିରରେ ମଧ୍ୟ ଚାଲିଛି ନବରାତ୍ରୀ ପୂଜା । ମା' ଡୋକରୀ କଳାହାଣ୍ଡିର ବାଉଁଶ ବଣର ଦେବୀ ମା' ଭାବେ ପରିଚିତ । ଶହ ଶହ ବର୍ଷ ଧରି ଗଙ୍ଗ ବଂଶ ଓ ନାଗ ବଂଶର ଉତ୍ତରାଧିକାରୀଙ୍କ ଦ୍ଵାରା ପୂଜା ପାଇ ଆସୁଛନ୍ତି ମା' । ଜୟପାଟଣାର ପୂର୍ବରେ ଅବସ୍ଥିତ ଉଦୟଗିରି ପାହାଡ଼ ସ୍ଥିତ ତାଳଗୁଡ଼ ଗ୍ରାମରେ ମା' ଡୋକରୀଙ୍କ ପୀଠ ଅବସ୍ଥିତ । ସୁଉଚ୍ଚ ପାହାଡ କୋଳରେ ପ୍ରାକୃତିକ ପରିବେଶରେ ଦେବୀ ମା' ପୂଜା ପାଉଛନ୍ତି । ବନଦୁର୍ଗା ମନ୍ତ୍ରରେ ଷୋଡ଼ଶ ଉପଚାରରେ ମା'ଙ୍କ ପୂଜାର୍ଚ୍ଚନା କରାଯାଉଛି ।

ମହାଳୟା ମଧ୍ୟରାତ୍ରିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ମାଟି ଆଣି ପ୍ରତିପଦାରେ ମା'ଙ୍କ ମସ୍ତକ ରୋପଣ କରାଯିବାର ପରମ୍ପରା ରହିଛି । ଏହାପରେ ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ କରାଯାଏ । ମା' ଡୋକରୀ ଦକ୍ଷିଣକାଳୀ ଭାବରେ ପୂଜା ପାଆନ୍ତି । ତେବେ ପାଇକ ସମ୍ପ୍ରଦାୟର ପୂଜକମାନେ ନିୟମିତ ଭାବରେ ମା'ଙ୍କ ପୂଜା କରି ଆସୁଥିବାବେଳେ ନବରାତ୍ରୀ ସମୟରେ ବନଦୁର୍ଗା ମନ୍ତ୍ରରେ ଷୋଡ଼ଶ ଉପଚାରରେ ବ୍ରାହ୍ମଣମାନେ ପୂଜା କରିଥାନ୍ତି । ମନ୍ଦିର ପରିଚାଳନା ଦାୟିତ୍ବ ମହୁଳପାଟଣା ଜମିଦାରଙ୍କ ହାତରେ ରହିଛି । ୧୧ ବର୍ଷ ହେଲା ରଘୁବୀର ପ୍ରତାପଦେଓ ଜମିଦାର ଭାବରେ ମା' ଡୋକରୀଙ୍କ ପୂଜାର୍ଚ୍ଚନାରେ ସାମିଲ ହେଉଛନ୍ତି । ଅଷ୍ଟମୀ ମଧ୍ୟରାତ୍ରିରେ ମା' ଡୋକରୀଙ୍କ ନିକଟରେ ଛାଗ ବଳି ଅର୍ପଣ କରନ୍ତି ମାନସିକଧାରୀ ।

ଏହା ବି ପଢନ୍ତୁ...ଆଧ୍ୟାତ୍ମିକ ପରିବେଶରେ ଉତ୍ସବମୁଖର ଶ୍ରୀକ୍ଷେତ୍ର, ଚାଲିଛି ମହାମାୟାଙ୍କ ମହାସପ୍ତମୀ ପୂଜା

ସଂସ୍କୃତି ଗବେଷକ ଶେଷଦେବ ବେହେରା କହିଛନ୍ତି, "ମା'ଙ୍କ ପୀଠରେ ଲାଠିଯାତ୍ରା ଅନୁଷ୍ଠିତ ହୋଇଥାଏ । ମହାଷ୍ଟମୀ ଯାତ୍ରା ପାଇଁ ବାନେର ସ୍ଥିତ ମା' ବୁଢ଼ୀ ପଦରେନଙ୍କ ସମେତ ଜୟପାଟଣା, ପିପଲଗୁଡା, ଖଲିଆଭଟା, ପ୍ରତାପପୁର, କରଞ୍ଜିଗୁଡା, ଗହିପାଣି ଆଦି ସ୍ଥାନ ଦେଇ ଦେବୀ ମା'ଙ୍କର ପ୍ରତୀକ ଲାଠି ଆସିଥାଏ । ପ୍ରାୟ ୧୮ କିଲୋମିଟର ରାସ୍ତା ଅତିକ୍ରମ କରି ମା' ଡୋକରୀଙ୍କ ଅଷ୍ଟମୀ ପୂଜାରେ ଏହି ଲାଠି ବ୍ୟବହୃତ ହୁଏ । ଲାଠିଯାତ୍ରା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ମହନବମୀ ପୂଜା ପରେ ମା'ଙ୍କ ଦଶମୀ ତିଥିରେ ଅନ୍ତିମ ପୂଜା ହୁଏ । ଏହାପରେ ଦହି ଅନ୍ନ ଲାଗି ହୁଏ । ଦେବୀ ମା'ଙ୍କ ରୋପିତ ମସ୍ତକକୁ ବିସର୍ଜନ କଲାପରେ ମନ୍ଦିରରେ ୯ ଦିନ ପାଇଁ କଣ୍ଟାବାଡ଼ ଦିଆଯାଇଥାଏ । ୯ ଦିନର ଅଣସର ପରେ ମା’ ପୁନର୍ବାର ପୂଜା ପାଇଥାନ୍ତି ।"

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details