ଭବାନୀପାଟଣା: ଦୀପାବଳୀରେ ମା' କାଳୀଙ୍କୁ ଆରଧନା କରାଯାଏ । କଳାହାଣ୍ଡିର ଆରାଧ୍ୟ ଦେବୀ ମା' ଦକ୍ଷିଣକାଳୀ ଠାକୁରାଣୀଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜା ଅର୍ଚ୍ଚନା ହୋଇଛି । ମା'ଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ପବିତ୍ର କାଳୀପୂଜା ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ମା' ଦକ୍ଷିଣକାଳୀଙ୍କ ଶକ୍ତି ପୀଠ ଉତ୍ସବମୁଖର ହୋଇଉଠିଛି । ସାତ ଦିନ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା' ଦକ୍ଷିଣକାଳୀ । ମା'ଙ୍କ ପୀଠରେ ଘଟ ସ୍ଥାପନ ସହ ଚାଲିଛି ଶତଚଣ୍ଡୀ ପାଠ ।
ଦୀପ ଯଜ୍ଞ ସହ ବିଶ୍ବଶାନ୍ତି ମହାଯଜ୍ଞ ଭୟ ହାରିଣୀ ମା' ଦକ୍ଷିଣକାଳୀ ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ମାଆ ଦକ୍ଷିଣକାଳୀ ପୀଠ ପୁରାଣ ପ୍ରସିଦ୍ଧ । ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠରେ ମା' ପୀଠ ରହିଛି । ମାଆ ସଦାସର୍ବଦା ଦକ୍ଷିଣକାଳୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଦୀପାବଳିରେ ମା' ଦକ୍ଷିଣ କାଳୀଙ୍କ ଦର୍ଶନ କଲେ କୋଟି ଜନ୍ମ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ମା' ଦର୍ଶନ ନିମନ୍ତେ ସହ ସହ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ରାତି ତମାମ ମା' ଙ୍କ ମନ୍ଦିରରେ ସ୍ୱତନ୍ତ୍ର ବିଧିରେ ପଞ୍ଚମକାର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିବା ବେଳେ ଶ୍ରଦ୍ଧାଳୁ ମା' ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ।