କଳାହାଣ୍ଡି: ବିଜୁ ପଟ୍ଟନାୟକ ଷ୍ଟାଡିୟମ ଜିଲ୍ଲାର ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡିବାକୁ ଯାଉଛି । ଜିଲ୍ଲାର ପ୍ରଥମ ଅତ୍ୟାଧୁନିକ ଷ୍ଟାଡିୟମ ଏବେ ଆଲୋକରେ ଝଲସିବ । ଜୁନାଗଡ଼ରେ ରାଜ୍ୟ ସରକାରଙ୍କ ତରଫରୁ ଅତ୍ୟାଧୁନିକ ବିଜୁ ପଟ୍ଟନାୟକ ଷ୍ଟାଡିୟମ ନିର୍ମାଣ ହେବ । ଏଠାରେ ଦିବାରାତ୍ର ଖେଳ ପାଇଁ ଫ୍ଲଡ଼ ଲାଇଟ ବ୍ୟବସ୍ଥା କରାଯିବାର ଯୋଜନା ରହିଛି । ଏନେଇ ବେଶ ଉତ୍ସାହିତ ଅଛନ୍ତି କ୍ରୀଡାବିତ ।
କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ଶ୍ରେଷ୍ଠ କ୍ରୀଡା ଆୟୋଜକ ଭାବରେ ଓଡିଶା ଦେଶରେ ସମ୍ମାନିତ ହୋଇଛି । ଏନେଇ ରାଜ୍ୟ ସରକାର କ୍ରୀଡାବିତ ମାନଙ୍କ ପାଇଁ ସବୁବେଳେ ବିଭିନ୍ନ ପଦକ୍ଷେପ ନେଇ ଆସିଛନ୍ତି । କଳାହାଣ୍ଡି ଜିଲ୍ଲାରେ ଦିବାରାତ୍ର ଖେଳ ପାଇଁ ଫ୍ଲଡ଼ ଲାଇଟ ବ୍ୟବସ୍ଥା ରହିତ ଷ୍ଟାଡିୟମ ନେଇ କ୍ରୀଡ଼ାବିତ ମାନଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । ଯାହା ଏବେ ପୂରଣ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ତରଫରୁ ଜୁନାଗଡରେ ବିଜୁ ପଟ୍ଟନାୟକ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ ସହ ଫ୍ଲଡ଼ ଲାଇଟ ବ୍ୟବସ୍ଥା କରାଯିବ । ଏଥିପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଏଭଳି ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ ନେଇ କ୍ରୀଡ଼ାବିତ, କ୍ରୀଡ଼ାପ୍ରେମୀ ଓ ସ୍ଥାନୀୟ ଜନ ସାଧାରଣ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଷ୍ଟାଡିୟମର ସମ୍ପୂର୍ଣ୍ଣ ନିର୍ମାଣ ପରେ ଆଗାମୀ ଦିନରେ ଏଠାରେ ରାଜ୍ୟ ତଥା ଜାତୀୟସ୍ତରର ମ୍ୟାଚ ଆୟୋଜନ କରାଯିବାର ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି ସ୍ଥାନୀୟ ବିଧାୟକ ଦିବ୍ୟଶଙ୍କର ମିଶ୍ର । ଷ୍ଟାଡିୟମ ଭୂମି ପୂଜନ କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ନଗରପାଳ ମୁକେଶ ଅଗ୍ରୱାଲ, ବିଡ଼ିଓ ଦୁଲାରାମ ମାରାଣ୍ଡି ଯୋଗ ଦେଇଥିଲେ ।