ଭବାନୀପାଟଣା:ରାଜ୍ୟରେ ମାତିଛନ୍ତି ଠକ। ବିଶେଷ କରି ଚାକିରି ଦେବା ନାଁରେ ଠକିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ନ ସଂସ୍ଥା କରି ଲୋକଙ୍କୁ ଚାକିରି ଦେବା ନାଁ ରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏପରି କିଛି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳରେ। ଚାକିରି ଦେବା ଆଳରେ ଟଙ୍କା ଠକେଇ ଅଭିଯୋଗରେ ୬ଜଣ ଯୁବକଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି।
ପୋଲିସର ସୂଚନାଅନୁସାରେ, ଚାକିରି ଦେବା ଆଳରେ ଗ୍ଲେଜ ଟ୍ରେଡିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର କାଳିନ୍ଦୀ ଚରଣ ଗହଣା ବିହାରର ମନିଷ ଯାଦବ ଓ ପୁରୀର ସୌମ୍ୟ ରଞ୍ଜନ ନାଏକଙ୍କୁ ଡକାଇଥିଲେ। ସେମାନଙ୍କୁ ଏକ ସଫ୍ଟୱେର କମ୍ପାନୀରେ ରିପୋର୍ଟିଂ ସର୍ଭିସ କାର୍ଯ୍ୟ କରିବା ନିମନ୍ତେ ସଂସ୍ଥା ପକ୍ଷରୁ ପ୍ରତିଶ୍ରୁତି ଦେଇ ଚାକିରି ପାଇଁ ଜଣ ପିଛା ୨୨ ହଜାର ଟଙ୍କା ଜମା କରିବା ପାଇଁ କୁହାଯାଇଥିଲା। ଚାକିରି ଆଶାରେ ସେମାନେ ସେଇଟା କରିଥିଲେ । ହେଲେ ଦୁହେଁ ଭବାନୀପାଟଣା ଆସିବା ପରେ ମନୀଷ ଓ ସୌମ୍ୟରଞ୍ଜନଙ୍କୁ ପିରାମିଡାଲ ନେଟୱର୍କିଂରେ ପାଞ୍ଜି ସ୍କିମ ଓ ଚେନ ନେଟୱର୍କିଂ ବ୍ୟବସାୟ କରିବାକୁ କୁହାଯାଇଥିଲା ।
ସେମାନେ ଏହି କାମ କରିବାକୁ ମନା କରିବାରୁ ସହରର ତାରିଣୀ ମନ୍ଦିର ନିକଟ ଏକ ହଷ୍ଟେଲରେ ୧୦ ଦିନରୁ ଉର୍ଦ୍ଧ୍ବ ଏକ କୋଠରୀରେ ବନ୍ଦ କରି ରଖାଯାଇଥିବା ଅଭିଯୋଗ ହୋଇଛି । କୌଶଳକ୍ରମେ ସେଠାରୁ ଦୁଇ ଆଶାୟୀ ପ୍ରାର୍ଥୀ ସୌମ୍ୟ ଓ ମନିଷ ଖସି ଆସି ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଉ ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଫିଟିଥିଲା ନକଲି ସଂସ୍ଥାର ଅସଲି ଗୁମର।