ଭବାନୀପାଟଣା:ରାଜ୍ୟରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ଡେଙ୍ଗୁ ପରେ ରାଜ୍ୟରେ ଭୟ ବଢାଇଲାଣି ସ୍କ୍ରବ ଟାଇଫସ । ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଛନ୍ତି । ସ୍କ୍ରବ ଟାଇଫସ ସନ୍ଦେହ ଥିଲେ ତୁରନ୍ତ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଛି ଜନସ୍ବାସ୍ଥ୍ୟ ବିଭାଗ । ବୁର୍ଲା ଭିମସାରରେ ୨୨ରୁ ଊର୍ଦ୍ଧ୍ବ ଲୋକଙ୍କ ଠାରେ ସ୍କ୍ରବ ଟାଇଫସ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ଓ ବରଗଡରେ ସର୍ବାଧିକ ମାମଲା ଦେଖିବାକୁ ମିଳୁଛି । ଏପଟେ ସ୍କ୍ରବ ଟାଇଫସରେ କଳାହାଣ୍ଡିରେ ଜଣେ ମହିଳାଙ୍କ ଜୀବନ ଯାଇଛି । ହେଲେ ଉକ୍ତ ମହିଳାଙ୍କ ମୃତ୍ୟୁର ୧୬ ଦିନ ପରେ ରିପୋର୍ଟରୁ ଜଣାପଡିଛି ।
ସୂଚନା ଯୋଗ୍ୟ କଳାହାଣ୍ଡି ଜିଲ୍ଲାରେ ମଦନପୁର ରାମପୁର ଅଞ୍ଚଳରେ ଜଣେ ମହିଳାଙ୍କ ସ୍କ୍ରବ ଟାଇଫସ କୀଟ କାମୁଡ଼ାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଉକ୍ତ ମହିଳାଙ୍କ ମୃତ୍ୟୁର ୧୬ ଦିନ ପରେ ଡାକ୍ତରଖାନାରୁ ପ୍ରାପ୍ତ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି । ତଳସାଗର ପଡ଼ାର ଯୋଗେଶ୍ବର ସାହୁଙ୍କ ସ୍ତ୍ରୀ ଯଶୋଦା ସାହୁଙ୍କୁ କିଛିଦିନ ତଳେ ଜ୍ବର ହୋଇ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଗତ ୩୦ ତାରିଖରେ ଦିନ ରାଉଲକେଲା ସ୍ଥିତ ଜୟ ପ୍ରକାଶ ହସ୍ପିଟାଲ ଏଣ୍ଡ ରିସର୍ଚ୍ଚ ସେଣ୍ଟରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେହି ଦିନ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ବିଳମ୍ବରେ ମୃତ୍ୟୁ ପ୍ରମାଣ ପତ୍ର ଆସିବା ପରେ ସଂପୃକ୍ତ ମହିଳାଙ୍କ ମୃତ୍ୟୁର କାରଣ ଜଣାପଡିଛି ।