ଭବାନୀପାଟଣା:ଗାଁକୁ ବିକାଶ ଦିଗରେ ନେବା ପାଇଁ ସରକାରଙ୍କ ଅନେକ ଯୋଜନା । ଗାଁକୁ ଚାଲ ଗାଁକୁ ଗଢ ଏଭଳି କିଛି ସ୍ଲୋଗାନ ନେଇ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଆଜିବି ଉପାନ୍ତ ଅଞ୍ଚଳରେ ପହଞ୍ଚିପାରି ନାହିଁ ସରକାରଙ୍କ ବିକାଶ ରଥ । ଏପରି ଏକ ଗାଁ ହେଉଛି କଳାହାଣ୍ଡି ଜିଲ୍ଲାର ସବୁଠୁ ପଛୁଆ ଓ ଅପହଞ୍ଚ ଇଲାକା ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଲକ ତୁମୁନିଖୋଲ ଗାଁ । ଯେଉଁଠାରେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଲୋକେ ।
ଖାଲ ଖମା ପଥୁରିଆ ଘାଟି ରାସ୍ତା । ଯେଉଁଠିକି ସାଇକେଲ କିମ୍ବା ଦୁଇ ଚକିଆ ଯିବା ତ ଦୂରର କଥା ଚାଲିକି ଯିବାବି ମୁସ୍କିଲ । ବ୍ଲକ ମୁଖ୍ୟାଳୟଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଗାଁର ରାସ୍ତାକୁ ଦେଖିଲେ ମନେ ହେଉଛି ସରକାରଙ୍କ ବିକାଶ ମାନଚିତ୍ରରୁ ଅଦୃଶ୍ୟ ଏହି ଉପାନ୍ତ ଗାଁ । କେବଳ ଏ ଗୋଟିଏ ଗାଁ ନୁହେଁ ବରଂ ଏମିତି ଅନେକ ଗାଁ ଅଛି ଯେଉଁଠିକି ଆଜିବି ପକ୍କା ରାସ୍ତା ପାଇଁ ଲୋକେ ସଂଘର୍ଷ କରୁଛନ୍ତି । ସେହିପରି ଦୁଇଟି ନାଳ ଓ ନାଗାବଳୀ ନଦୀ ଦେଇ ଘାଟି ରାସ୍ତା ଦେଇ ଗଲେ ପଡେ ବିଲାମାଲ ଗାଁ । କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ଏହି ଗାଁ ବ୍ଲକଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ବେଳେ ଏହି ଗ୍ରାମବାସୀ ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ରାୟଗଡା ଜିଲ୍ଲା ଉପରେ ନିର୍ଭର କରନ୍ତି । କୌଣସି ପଟୁ ଗାଁକୁ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍ସ ଆସି ପାରୁନାହିଁ ଯାହା ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।