ଯୁବକଙ୍କୁ ଧକ୍କା ଦେଲା ଟ୍ରେନ ଭବାନୀପାଟଣା:ରେଳ ଧାରଣା ପାର ହେଉଥିବା ବେଳେ ଅଘଟଣ । ଯୁବକଙ୍କ ଉପରେ ମାଡିଗଲା ରଥଯାତ୍ରା ସ୍ପେଶାଲ ଟ୍ରେନ୍ । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଗୁରୁତର ହୋଇପଡିଛନ୍ତି ଯୁବକ ଜଣଙ୍କ । ଟ୍ରେନ ଧକ୍କାରେ ଯୁବକଙ୍କ ଗୋଡ ଓ ହାତ ଶରୀରରୁ ଅଲଗା ହୋଇଯାଇଛି । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରରେ । ଗୁରୁତର ଯୁବକ ହେଉଛନ୍ତି ସେହି ଗାଁର ସୁଦାମ ଭୋଇ । ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ଗୁରୁବାର) ରାତି 8ଟା 30 ମିନିଟ ସମୟରେ ସୁଦାମ ଭୋଇ ରାମଚନ୍ଦ୍ରପୁର ସ୍ଥିତ ରେଳ ଧାରଣା ପାର ହେଉଥିଲେ । ଏହି ସମୟରେ ହଠାତ ପୁରୀରୁ ଜୁନାଗଡ଼ ଫେରୁଥିବା ଶ୍ରୀକ୍ଷେତ୍ର ରଥଯାତ୍ରା ସ୍ପେଶାଲ ଟ୍ରେନ୍ ନଂ ୦୮୯୦୪ ଅଚାନକ୍ ଚାଲି ଆସିଥିଲା । ଫଳରେ ଟ୍ରେନ ଧକ୍କାରେ ଯୁବକଙ୍କ ଦୁଇଟି ଗୋଡ଼ ଓ ଗୋଟିଏ ହାତ ସମ୍ପୂର୍ଣ୍ଣ କାଟି ଯାଇଥିଲା ।
ଦୁର୍ଘଟଣାର ପ୍ରାୟ ଦୁଇ ଘଣ୍ଟା ପରେ ସ୍ଥାନୀୟ ଲୋକେ ସୁଦାମ ଭୋଇକୁ ଗୁରୁତର ଅବସ୍ଥାରେ ଦେଖି ଉଦ୍ଧାର କରିବା ପରେ ଭବାନୀପାଟଣା ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସୁଦାମଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଏନେଇ ଖବର ପାଇ ମେଡ଼ିକାଲରେ ସଦର ଥାନା ପୋଲିସ ଓ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସେପଟେ ସୁଦାମ ପରିବାରର ଏକ ମାତ୍ର ରୋଜଗାରକ୍ଷମ ପୁଅ ହୋଇଥିବା ବେଳେ ତାଙ୍କର ଏପରି ଅବସ୍ଥା ପରେ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ଏହି ଘଟଣା ନେଇ ପୋଲିସ ଓ ଆହତ ଯୁବକଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଗଣମାଧ୍ୟମରେ କେହି ବି ପ୍ରତିକ୍ରିୟା ରଖିନାହାନ୍ତି
ଚଳିତ ମାସ 2 ତାରିଖରେ ସନ୍ଧ୍ୟାରେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । କରମଣ୍ଡଳ ଏକ୍ସପ୍ରେସ ଲୁପ ଲାଇନକୁ ଚାଲିଯିବାରୁ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା 292 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1000ରୁ ଅଧିକ ଆହତ ହୋଇଥିଲେ । ଏହି ବଡ ଧରଣ ଟ୍ରେନ ଦୁର୍ଘଟଣା ପରେ ରାଜ୍ୟରେ ବାରମ୍ବାର ଟ୍ରେନ ଦୁର୍ଘଟଣା ସାମ୍ନାକୁ ଆସିବାରେ ଲାଗିଛି । କେଉଁଠି ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେଉଛି ତ ଆଉ କେଉଁଠି ବଗି ଛାଡି ପଳାଉଛି ଇଞ୍ଜିନ । ପୁଣି କେଉଁଠି ଟ୍ରେନରୁ ଧୂଆଁ ବାହାରୁଥିବା ଖବର ସାମ୍ନାକୁ ଆସିଛି ।
ଇଟିଭି ଭାରତ, କଳାହାଣ୍ଡି