ଭବାନୀପାଟଣା:ଚୁକ୍ତିଭିତ୍ତିକ ଠିକା କର୍ମଚାରୀଙ୍କ ଟ୍ୟାଗ ହଟିଯାଇଛି । ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ହେଲେ ଏହି ତାଲିକାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବାଦ ଦିଆଯାଇଛି । ଯାହାକୁ ନେଇ ପ୍ରାଥମିକ ଶିକ୍ଷକ ମହଲରେ ଅସନ୍ତୋଷ ଦେଖାଦେଇଛି ।
ସରକାରଙ୍କ ଏହି ନିୟମକୁ ତୀବ୍ର ବିରୋଧ କରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏନେଇ କଳାହାଣ୍ଡି ଜିଲ୍ଲା ସଙ୍ଘ ବିଶ୍ୱଜିତ ବେହେରା କହିଛନ୍ତି, " ଗତ ୨୦୦୧ ମସିହାରେ ରାଜ୍ୟ ସରକାର ଆର୍ଥିକ ସ୍ଥିତି ଦୁର୍ବଳ ଅଛି ବୋଲି ୧୫୦୦ ଟଙ୍କାରେ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ ପଦରେ ଶିକ୍ଷିତ ଓ ତାଲିମ ପ୍ରାପ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି କରିଥିଲେ । ସେମାନଙ୍କୁ ପ୍ରଥମେ ୭ ବର୍ଷ ଓ ପରେ ୬ ବର୍ଷ ପରେ ନିୟମିତ କରିଥିଲେ । ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବର୍ତ୍ତମାନ ପ୍ରକାଶ ହୋଇଥିବା ବିଜ୍ଞପ୍ତିରେ ବାଦ ଦିଆଯାଇଛି ।"
ସେ ଆହୁରି ମଧ୍ୟ କହିଛନ୍ତି, ଉଚ୍ଚ ବିଦ୍ୟାଳୟ ଓ ଅନ୍ୟ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଯିବା ସହ ୬ ବର୍ଷର ଇଂକ୍ରିମେଣ୍ଟ ଦେବାପାଇଁ ନିଷ୍ପତ୍ତି ନିଆଯାଇ ଥିବା ନେଇ ସୂଚନା ଦିଆଯାଇଥିଲା । ଯଦି ରାଜ୍ୟ ସରକାର ବାଦ ପଡିଥିବା ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ ଘୋଷଣା କରିବା ସହିତ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ନ କଲେ ଆଗାମୀ ଦିନରେ ପ୍ରାଥମିକ ଶିକ୍ଷକ ସଙ୍ଘ (ଏନପିଏସ) ସମଗ୍ର ରାଜ୍ୟରେ ଆନ୍ଦୋଳନ କରିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।