ଭବାନୀପାଟଣା:ପୁଣି ସାମ୍ନାକୁ ଅସିଲା ଜନନୀ ଯନ୍ତ୍ରଣା । ଭାରରେ ବୁହା ହେଲେ ଗର୍ଭବତୀ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଝାଞ୍ଜି ଗାଁରେ । ଗାଁକୁ ବିକାଶମୁଖି କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ତୃଣମୂଳ ସ୍ତରରେ ଏହି ଯୋଜନା ଲୋକଙ୍କ ପାଇଁ ପାଲଟିଛି ପ୍ରହସନ ।
ଆଜିବି ଅନେକ ଗାଁକୁ ରାସ୍ତା ନଥିବାବେଳେ ନଦୀ ନାଳରେ ପୋଲ ଟିଏ ମଧ୍ୟ ନାହିଁ । ଫଳରେ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ଖଟିଆ ପାଲଟିଛି ଭରସା । କାରଣ ଅପହଞ୍ଚ ଇଲାକାରେ ପକ୍କା ରାସ୍ତା ଓ ନଦୀରେ ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ । ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଅଞ୍ଚଳ ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଲକ ୨୪ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର ୬୦ ପ୍ରତିଶତ ଗାଁକୁ ପକ୍କା ରାସ୍ତା ଟିଏ ନାହିଁ । ଯେଉଁଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ ।
ପୁଣି ଥରେ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର । ଝାଞ୍ଜି ଗାଁର ରଶ୍ମିତା ମାଝିଙ୍କୁ ପ୍ରସବ ବେଦନା ହୋଇଥିଲା । ଫଳରେ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମୁଲାନ୍ସ ସହ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ମଧ୍ଯକୁ ଅସିପାରିନଥିଲା । ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଭାରରେ ବୋହି ପ୍ରାୟ ୧୪ କିଲୋମିଟର ପେଡିପଦର ଛକ ପର୍ଯ୍ୟନ୍ତ ବୋହିଥିଲେ । ପରେ ସେଠାରୁ ଏକ ଅଟୋ ଯୋଗେ କଲ୍ୟାଣୀସିଂପୁର ଡାକ୍ତର ଖନାକୁ ନେଇ ରଶ୍ମିତା ଭର୍ତ୍ତି କରିଥିଲେ ପରିବାର ଲୋକେ ।