ଭବାନୀପାଟଣା:ପୁଣି ଚିନ୍ତାରେ ଚାଷୀ । ଚାଷ ପାଇଁ ଜଳସେଚନର ଅଭାବ । ବିଳମ୍ବିତ ମୌସୁମୀ ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ମରୁଡି ପରିସ୍ଥିତିର ଆଶଙ୍କା ସୃଷ୍ଟି ହେଲାଣି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ କାମ ଚାଲିଥିବାରୁ ଜଳ ସେଚନ ବାଧା ପ୍ରାପ୍ତ ହୋଇଛି । ୨୯ ହଜାର ହେକ୍ଟରଜମିରେ ରେ ଚାଷ କାର୍ଯ୍ୟ ଠପ୍ ହେବାରେ ଲାଗିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିକଳ୍ପ ଜଳସେଚନ ବ୍ୟବସ୍ଥା କରା ନ ଯିବା ଦ୍ୱାରା ଚାଷୀ ମୁଣ୍ଡରେ ଚଡକ ପଡିଛି । ତେବେ ସେତିକି ନୁହେଁ ଏହି କେନାଲ କାମ ଯୋଗୁଁ ଆଗକୁ ଆହୁରି ପାଖାପାଖି ପାଞ୍ଚ ବର୍ଷ ଜଳସେଚନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।
କଳାହାଣ୍ଡି ଜିଲ୍ଲା ରାଜ୍ୟର ଦ୍ୱିତୀୟ ଭାତହାଣ୍ଡି ହୋଇଥିବା ବେଳେ ଦୂରଦୃଷ୍ଟିର ଅଭାବରୁ ବିକଳ୍ପ ବ୍ୟବସ୍ଥା ନ କରି କେନାଲ କାର୍ଯ୍ୟ ପାଇଁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ବର୍ତ୍ତମାନ ପର୍ଯ୍ୟନ୍ତ ୪୧ କିଲୋମିଟର ପର୍ଯ୍ୟନ୍ତ ମରାମତି ଚାଲିଛି । ଏହା ସରକାରୀ ଭାବରେ ୨ ବର୍ଷ ସମୟସୀମା ରହିଥିବା ବେଳେ ୮୪ କିଲୋମିଟର ପର୍ଯ୍ୟନ୍ତ କେନାଲ ମରାମତି ପାଇଁ ଟେଣ୍ଡର ଚୂଡାନ୍ତ ହୋଇନାହିଁ ।