ଭବାନୀପାଟଣା: ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାରଙ୍କ ଅନେକ ଯୋଜନା । ଆଉ ଯୋଜନାକୁ ନେଇ ଖର୍ଚ୍ଚ ବି ହେଉଛି କୋଟି କୋଟି ଟଙ୍କା । ହେଲେ ସରକାରୀ ବାବୁଙ୍କ ଲାଭଖୋର ମନବୃତ୍ତି ଯୋଗୁଁ ନିର୍ମାଣ ନସରୁଣୁ ରାସ୍ତାର ହାଲ ବେହାଲ । ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାରୁ ।
ଗୋଲାମୁଣ୍ଡା ବ୍ଲକ ଓ ଧର୍ମଗଡ ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ତିଆରି ହେଉଥିବା ବେଳେ ନିମ୍ନମାନର କାମ ଦେଖିବାକୁ ମିଳୁଛି । ଫଳରେ କାମ ନ ସରୁଣୁ ଉଠିଲାଣି ପିଚୁ । ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ନକଟିକାନୀ ପଞ୍ଚାୟତର ପତିଆଲପଡା ଠାରୁ ଧର୍ମଗଡ ବ୍ଲକ କେନ୍ଦୁଗୁଡା ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର ପିଚୁ ରାସ୍ତା ନିର୍ମାଣ କରାଯାଉଛି । ୨୦୨୧-୨୨ରେ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏହି କାମ ସମ୍ପାଦନ ହେଉଥିବା ବେଳେ ଏହି କାମ ପାଇଁ ରାଜ୍ୟ ସରକାର ଏସସିଏ ପାଣ୍ଠିରୁ ଅନୁଦାନ ପ୍ରାପ୍ତ ହୋଇଛି । ସେହିପରି ଏହି ରାସ୍ତା ପାଇଁ ୯୬ ଲକ୍ଷ ୧୯ ହଜାର ଟଙ୍କା ବ୍ୟୟ ଅଟକଳ ଥିବାବେଳେ ଠିକା ସଂସ୍ଥାର ଏଗ୍ରିମେଣ୍ଟ ଅନୁଯାୟୀ ଏହା ୮୧ ଲକ୍ଷ ୬୭ ହଜାର ଟଙ୍କା ବୋଲି ସୂଚନା ବୋର୍ଡ ମାଧ୍ୟମରେ ଜଣାପଡିଛି । ଏଥିସହ ବି ଶ୍ରେଣୀ ଠିକାଦାର ଗୀତାଞ୍ଜଳି ପ୍ରଧାନ ଏହି କାମ କରୁଥିବା ଜଣାପଡ଼ିଛି ।
ସେହିପରି ସୂଚନା ବୋର୍ଡ ଅନୁସାରେ ଏହି କାମ ଗତ ୨୦୨୨ ମାର୍ଚ୍ଚ ୭ରେ କାମ ଆରମ୍ଭ ହୋଇଥିବା ବେଳେ ଏହା ୨୦୨୩ ଏପ୍ରିଲ ୨୦ ତାରିଖରେ କାର୍ଯ୍ୟ ସରିବା କଥା । କିନ୍ତୁ ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ଠିକା ସଂସ୍ଥା ମଧ୍ୟରେ ସଲାସୁତରା ଯୋଗୁଁ ଅବଧିରୁ ୨ ମାସ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାମ ସରିବାର ନାଁ ଧରୁନାହିଁ । ଅନ୍ୟପକ୍ଷରେ ଏହି କାମରେ କୌଣସି ବିଭାଗୀୟ ଅଧିକାରୀ କିମ୍ବା ଠିକାଦାର ଅନୁପସ୍ଥିତ ରହୁଥିବା ଯୋଗୁଁ ରାସ୍ତା କାମ ମୁନସିମାନଙ୍କ ଦ୍ୱାରା ସମ୍ପାଦନ ହେଉଛି । ଯାହାଫଳରେ ରାସ୍ତା କାମ ନିମ୍ନମାନର ହେଉଥିବା ଯୋଗୁଁ କାମ ନ ସରୁଣୁ ପିଚୁ ସବୁ ଉଠି ଯାଉଥିବା ଦେଖିବାକୁ ମିଳୁଛି ।