ଜହ୍ଲାଦ ପୁଅର ମୃତଦେହ ଉଦ୍ଧାର। ଭବାନୀପାଟଣା: ଜହ୍ଲାଦ ପୁଅର ମୃତଦେହ ଉଦ୍ଧାର । ବାପାକୁ ହତ୍ୟାକରୀ ଥିବା ପୁଅର ମୃତଦେହକୁ ଉଦ୍ଧାର କରିଛି ପୋଲିସ । ପୁଅର ଟାଙ୍ଗିଆ ଚୋଟରେ ଗତକାଲି ବାପର ମୃତ୍ୟୁ ହୋଇଥିଲା । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି କଳାହାଣ୍ଡିରେ । ବାପାକୁ ଟାଙ୍ଗିଆରେ ହତ୍ୟା କରିବା ପରେ ନିଖୋଜ ଥିବା ଜହ୍ଲାଦ ପୁଅର ମୃତଦେହ ଗାଁ ମୁଣ୍ଡ ନାଳରୁ ଉଦ୍ଧାର କରିଛି ପୋଲିସ ।
ସେହି ଗାଁର ନନ୍ଦକିଶୋର ମାଝୀଙ୍କର ଏକମାତ୍ର ପୁଅ ହେଉଛି ପୁରୁଷୋତ୍ତମ ମାଝୀ । ତେବେ ନନ୍ଦକିଶୋର ଏବଂ ତାଙ୍କ ପୁଅ ମଧ୍ୟରେ ଜମିବାଡ଼ି କଥାକୁ ନେଇ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ଆଉ ଶେଷରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଥିଲା । ଜମିବାଡ଼ି ଓ ସମ୍ପତ୍ତି ଲୋଭରେ ଭାଇ ଭାଇ ମଧ୍ୟରେ ଶତ୍ରୁ ପାଲଟିଯାଉଥିବା ବେଳେ ଏହି ଘଟଣା ପରେ ବାପପୁଅ ସମ୍ପର୍କରେ ଲାଗିଛି କଳଙ୍କ ।
ଅଧିକ ପଢ଼ନ୍ତୁ: ଜମିବାଡି ବିବାଦ ନେଲା ଜୀବନ, ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ
ସୂଚନା ଅନୁଯାୟୀ ବାପା ନନ୍ଦକିଶୋର ମାଝୀ ଓ ତାଙ୍କର ଏକମାତ୍ର ପୁଅ ପୁରୁଷୋତ୍ତମ ମାଝୀଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଝଗଡା ଲାଗି ରହୁଥିଲା। ଗତକାଲି (ଗୁରୁବାର) ପୁଣି ଥରେ ସେହି ସମାନ ଚିତ୍ର ଘର ଭିତରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପୁଅ ଓ ବାପାଙ୍କ ମଧ୍ୟରେ ବଚସା ଝଗଡାର ରୂପ ନେଇଥିଲା । ଗତକାଲି ପ୍ରାୟ ଦିନ ୨ ଟା ସମୟରେ ପୁଅ ପୁରୁଷୋତ୍ତମ ମାଝୀ ନିଶା ସେବନକରି ଘରକୁ ଆସି ବାପା ନନ୍ଦକିଶୋରଙ୍କ ସହ ଝଗଡା କରିଥିଲା। ଜମିବାଡିକୁ ନେଇ ବାପା ପୁଅ ମଧ୍ୟରେ ଯୁକ୍ତିତର୍କ ଚରମ ସୀମାରେ ପହଞ୍ଚିଥିଲା ।
ଫଳରେ ବାପା ନନ୍ଦକିଶୋର ପୁଅ ପୁରୁଷୋତ୍ତମକୁ ଘରୁ ବାହାରକୁ ଚାଲିଯିବାକୁ କହିବାରୁ ପୁଅ ଏହି କଥାରେ ଉତକ୍ଷିପ୍ତ ହୋଇ ଘରେ ଥିବା ଟାଙ୍ଗିଆରେ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ନନ୍ଦକିଶୋରଙ୍କ ମୃତ୍ୟ ଘଟିଥିଲା। ବାପାକୁ ହତ୍ୟା କରିବା ପରେ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ତଦନ୍ତ ଅରମ୍ଭ କରିଥିଲା। ତେବେ ଆଜି ସେହ ହତ୍ୟାକାରୀ ପୁଅର ମୃତଦେହକୁ ଉଦ୍ଧାର କରିଛି ପୋଲିସ । ବୋରିଙ୍ଗପଦର ଗାଁ ନିକଟରେ ଥିବା ଏକ ନାଳରେ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ସେପଟେ ବାପର ହତ୍ୟାକରିବା ପରେ ପୁଅ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ଇଟିଭି ଭାରତ, କଳାହାଣ୍ଡି