ଭବାନୀପାଟଣା: ମହଙ୍ଗା ପଡିଲା ଟ୍ରାଫିକ ନିୟମ ଉଲ୍ଲଂଘନ । ପୋଲିସକୁ ବାନ୍ଧିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଗିରଫ ହୋମଗାର୍ଡକୁ ଆଲକୋହଲ ଟେଷ୍ଟ ପରେ କୋର୍ଟ ଚାଲାଣ କରିଛି ପୋଲିସ ।
ପୁରା ଘଟଣା ଏମିତି, ଧର୍ମଗଡ ଥାନାର ପିସିଆର ଭ୍ୟାନ ଡ୍ୟୁଟି କରୁଥିବା ହୋମଗାର୍ଡ ବୁଲୁ ନାଏକ ଗାଡି ଚଳାଉଥିବା ବେଳେ ଫୋନ ବ୍ୟବହାର କରିଥିଲେ । ଫଳରେ ଧର୍ମଗଡ ଚାରିଛକରେ ଟ୍ରାଫିକ ଜାମ ହୋଇଥିଲା । ଏହି ଘଟଣାକୁ ନେଇ ସେହି ରାସ୍ତା ଦେଇ ଅତିକ୍ରମ କରୁଥିବା ଜଣେ ଗଣମାଧ୍ୟମ ପ୍ରତିନିଧି ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିଲେ ।
ଆରକ୍ଷୀ ଅଧିକ୍ଷକ ତୁରନ୍ତ ଏନେଇ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଙ୍ଗେ ସଙ୍ଗେ ପିସିଆର ଭ୍ୟାନକୁ ତିନି ଛକରେ ଅଟକାଇ ଡ୍ରାଇଭର ବୁଲୁ ନାଏକକୁ ନିଜ ହେପାଜତକୁ ନେଇଥିଲେ ପୋଲିସ ଅଧିକାରୀ । ପରେ ଧର୍ମଗଡ ଥାନାକୁ ହସ୍ତାନ୍ତର କରିଥିଲେ ।
ତେବେ ଧର୍ମଗଡ ଉପଖଣ୍ଡରେ ଆଲକୋହଲ ଟେଷ୍ଟ ପାଇଁ ସୁବିଧା ନଥିବାରୁ ଧର୍ମଗଡ ଥାନା ପକ୍ଷରୁ ଆଲକୋହଲ ଟେଷ୍ଟ ପାଇଁ ବୁଲୁକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ପରେ ସେ ମଦ୍ୟପାନ କରିଥିବା ରିପୋର୍ଟରେ ସ୍ପଷ୍ଟ ହୋଇଥିଲା । ରିପୋର୍ଟ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବଗତ ହେବା ପରେ ବୁଲୁ ନାଁରେ ମାମଲା ରୁଜ୍ଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ