ଭବାନୀପାଟଣା: କେନ୍ଦ୍ର ସରକାରଙ୍କ ଅମୃତ ଭାରତ ଯୋଜନାରେ ସାମିଲ ହେଲା ଭବାନୀପାଟଣା ରେଳ ଷ୍ଟେସନ । ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏହାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ୫୦୮ଟି ରେଳ ଷ୍ଟେସନର ପୁନଃ ବିକାଶ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ତାଲିକାରେ ଓଡ଼ିଶାର ୨୫ଟି ଷ୍ଟେସନ ରହିଥିବା ବେଳେ ସେଥି ମଧ୍ୟରେ ସ୍ଥାନ ପାଇଛି ଭବାନୀପାଟଣା ରେଳ ଷ୍ଟେସନ l ଯାହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ଦେଖାଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେଳ ଷ୍ଟେସନରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, ପଦ୍ମଶ୍ରୀ ପଟ୍ଟାୟତ ସାହୁ ଉପସ୍ଥିତ ରହିଥିବାବେଳେ ରେଳ ବିଭାଗ ସମ୍ବଲପୁର ଡିଭିଜନର ଅତିରିକ୍ତ ଏଜିଏମ ମଧ୍ୟ ଉପସ୍ଥିତ ରହିଥିଲେ ।
ଅମୃତ ଭାରତ ଯୋଜନା ମାଧ୍ୟମରେ ଭବାନୀପାଟଣା ରେଳ ଷ୍ଟେସନ ପାଇଁ ସରକାର ପ୍ରଥମ ପର୍ଯ୍ୟାୟର ୨୧ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଖୁବଶୀଘ୍ର ଏହାର କାମ ଆରମ୍ଭ ହେବାକୁ ଯାଉଛି । ଭିଡିଓ କନଫରନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିବା ଜଣାପଡିଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନେକ ଜନ ସାଧାରଣ ଓ ବିଜେପି କର୍ମକର୍ତ୍ତା ସାମିଲ ହୋଇଥିବାବେଳେ ଉପସ୍ଥିତ ଅତିଥିମାନେ କୃତ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଛନ୍ତି ।