ଭବାନୀପାଟଣା:କୁସୁର୍ଲା ଠାରେ ଚାଲିଛି ମକର ମେଳା । କୋଭିଡ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ମେଳା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ବିନା କଟକଣା ମକର ମେଳା ଆୟୋଜିତ ହେଉଛି । ତେବେ ଏହି ମେଳା ୫ ଦନ ଧରି ଚାଲିବାକୁ ଥିବା ବେଳେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି ।
ଦୀର୍ଘ ୭୩ ବର୍ଷ ଧରି କୁସୁର୍ଲା ଠାରେ ଚାଲି ଆସୁଛି ମକର ମେଳା । ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତିଠାରୁ ଏହି ମେଳା ଆରମ୍ଭ ହୋଇ ୫ ଦିନ ଧରି ଚାଲିଥାଏ । ପୂଜା ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ଦିନ ହର ଗୌରୀଙ୍କ ଠାରେ କଦଳୀ, ଅଦା, ଅରୁଆ ଚାଉଳ, ନଡ଼ିଆ, କ୍ଷୀର, ରାଶି ଆଦି ସାମଗ୍ରୀକୁ ମିଶାଇ ମକର ଚାଉଳ ତିଆରି କରାଯାଇଥାଏ । ଏହାପରେ ହରଗୌରୀଙ୍କୁ ଭୋଗ ଲଗାଯାଇଥାଏ । ତେବେ ପ୍ରଥମଦିନରେ ହର ଗୌରୀଙ୍କ ରଥଯାତ୍ରା ଆୟୋଜିତ ହୋଇଥିଲା । ମନ୍ଦିର ପୂଜକ ହରଗୌରୀଙ୍କ ପ୍ରତି ମୂର୍ତ୍ତିକୁ ମନ୍ଦିର ଭିତରୁ ବାହାର କରି ଘଣ୍ଟା, ଶଙ୍ଖ, ହୁଳହୁଳି ଦେଇ ରଥ ଚାରିପଟେ ୧୧ ଘେରା ବୁଲି ସାରିବା ପରେ ହରଗୌରୀଙ୍କୁ ରଥାରୁଢ କରାଯାଇଥିଲା । ଏହା ପରେ ଗାଁ ପରିକ୍ରମା କରାଯାଇଥିଲା । ହର ପାର୍ବତୀଙ୍କ ଗ୍ରାମ ପରିକ୍ରମା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଲୋକେ ସାମିଲ ହୋଇ ଆଶିଷ ଭିକ୍ଷା କରିଥିଲେ ।