ଭବାନୀପାଟଣା: ବସନ୍ତ ଋତୁ ଆଗମନରେ ସବୁଜିମା ହୋଇଛି ରଙ୍ଗୀନ । ଆଉ ଏହି ରଙ୍ଗୀନ ପରିବେଶରେ ସମସ୍ତଙ୍କ ମନରେ ଉତ୍ସାହ ଭରି ଦେଇଛି ପଳାସ ଫୁଲର ମନ ମୁଗ୍ଧକର ରୂପ । ସତେ ଯେପରି ପ୍ରକୃତି ଲାଲ ରଙ୍ଗର ଓଢଣୀରେ ଢାଙ୍କି ହୋଇ ଋତୁରାଜ ବସନ୍ତକୁ ସ୍ଵାଗତ କରୁଛି ଧରଣୀ ରାଣୀ । ଆଉ ଧରଣୀ ରାଣୀର ଏହି ରୂପକୁ ଦେଖି କବି ଓ ଭାବୁକ ଆତ୍ମବିଭୋର ହୋଇପଡ଼ିଛନ୍ତି । କବି ନିଜର କବିତା ଓ ଲେଖନୀରେ ପଳାସର ସୌନ୍ଦର୍ଯ୍ୟ ବଖାଣିଛି । କଳାହାଣ୍ଡି ଜିଲ୍ଲାରେ ପଳାସ ଫୁଲ ସମ୍ଭାର ମେଲିଥିବା ବେଳେ ଆଦିବାସୀଙ୍କ ପାରମ୍ପରିକ ପୂଜା ପାଇଁ ରହିଛି ଏହାର ସ୍ବତନ୍ତ୍ର ଚାହିଦା ।
ଧରଣୀ ରାଣୀର ଏହି ସୁନ୍ଦର ରୂପଟିକୁ ଦେଖି କୋକିଳ ତା'ର ସୁମଧୁର କଣ୍ଠରେ ସଂଗୀତ ଗାନ କରି ଉଠୁଥିବା ବେଳେ ଭ୍ରମରର ଗୁଣୁଗୁଣୁ ଶବ୍ଦ ସହିତ ଦୂରରୁ ଶୁଣାଯାଉଥିବା କୁମ୍ଭାଟୁଆ ଚଢେଇର ଶବ୍ଦ ପରିବେଶକୁ ଆହୁରି ମନମୁଗ୍ଧକର କରିଦେଉଛି । କେଉଁଠି ପଳାସ ଓ ଶିମିଳି ଫୁଲର ରଙ୍ଗରେ ପରିବେଶ ଲାଲ ଦେଖାଯାଉଥିବା ବେଳେ କେଉଁଠି ମହୁଲ ଫୁଲର ବାସନାରେ ସାରା ପରିବେଶ ସୁଗନ୍ଧମୟ ହୋଇ ଉଠିଥାଏ । ଏହି ଋତୁରେ ଗୋଟିଏ ପଟେ ବହୁ ସୁଗନ୍ଧିତ ଓ ରଙ୍ଗ ବିରଙ୍ଗ ଫୁଲ ଶୋଭା ବର୍ଦ୍ଧନ କରୁଥିବା ବେଳେ ଅନ୍ୟପଟେ ଗନ୍ଧ ଓ ବାସ ନଥିବା ପଳାସ ଫୁଲ କେବଳ ତା'ର ଆକର୍ଷିତ ରଙ୍ଗ ଓ ରୂପରେ ସମସ୍ତଙ୍କୁ ଆକୃଷ୍ଟ କରି ରଖିଥାଏ ।
ଏହା ବି ପଢନ୍ତୁ- ମାଲାମାଲ ହେଉଛନ୍ତି ଦଲାଲ, ଶୋଷଣର ଶିକାର ମହୁଲ ଗୋଟାଳି