ଭବାନୀପାଟଣା: ଇଚ୍ଛାଶକ୍ତି ଆତ୍ମବିଶ୍ବାସ ଅଭାବ ଯୋଗୁଁ ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଛି । ଯେଉଁଦିନ ସମସ୍ତ କଂଗ୍ରେସ ନେତା ଓ କର୍ମୀ ଏକଜୁଟ ହୋଇ ନିଷ୍ଠାର ସହିତ ଦଳ ପାଇଁ କାମ କରିବେ ସେହିଦିନ କଂଗ୍ରେସକୁ କେହି ରୋକି ପାରିବେ ନାହିଁ ବୋଲି ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କଳାହାଣ୍ଡିର ବରିଷ୍ଠ କଂଗ୍ରେସ ନେତା ତଥା ନୂତନ ଭାବେ ମଣିପୁର ଓ ମିଜୋରମର କଂଗ୍ରେସ ପ୍ରଭାରୀ ଭାବେ ନଯୁକ୍ତି ପାଇଥିବା ଭକ୍ତଚରଣ ଦାସ କହିଛନ୍ତି ।
ଆଗାମୀ ଦିନରେ ଓଡ଼ିଶାର ରାଜନୈତିକ ପାଣିପାଗରେ ଦ୍ରୁତ ପରିବର୍ତ୍ତନର ସମ୍ଭାବନା ରହିଛି।ଅନ୍ୟ ରାଜନୈତିକ ଦଳ ଗୁଡ଼ିକର ବହୁ ତୁଙ୍ଗ ନେତା କଂଗ୍ରେସରେ ଯୋଗଦେବାକୁ ଆଗ୍ରହୀ । ଏଥିପାଇଁ ବହୁ ନେତା ତାଙ୍କ ଯୋଗସୂତ୍ର ରେ ରହିଥିବା କହିଛନ୍ତି କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି)ର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତଥା ନବନିଯୁକ୍ତ ମଣିପୁର ଓ ମିଜୋରାମ ରାଜ୍ୟ ପ୍ରଭାରୀ ଭକ୍ତ ଚରଣ ଦାସ। ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭବାନୀପାଟଣା ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଦାସ ଏହା ପ୍ରକାଶ କରିଛନ୍ତି । ସେ କହିଥିଲେ ଯେ ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ତାଙ୍କ ଉପରେ ଯେଉଁ ଆସ୍ଥା ସ୍ଥାପନ କରିଛନ୍ତି ତାକୁ ସେ ଅତୁଟ ରଖିବା ପାଇଁ ପ୍ରୟାସ କରିବେ ।