ଭବାନୀପାଟଣା:ପ୍ରଥମ ପାଣିରେ ଭାସିଗଲା କଂକ୍ରିଟ କେନାଲ । ବର୍ଷର ପ୍ରଥମ ପାଣିରେ ଉଦଘାଟନ ହୋଇ ବର୍ଷେ ମଧ୍ୟ ହୋଇନାହିଁ କିନ୍ତୁ ଭାଙ୍ଗିଗଲା କେନାଲ । କେନାଲ ଭାଙ୍ଗିଯିବା ଫଳରେ ଲୋକଙ୍କ ଜମିରେ ପଶିଯାଇଛି ମାଟି । ଶହ ଶହ କୋଟି ଟଙ୍କା ଖର୍ଚ୍ଚରେ କରାଯାଇଛି କେନାଲ କାମ । ଏଥିପାଇଁ ଭାଙ୍ଗିବା ପାଇଁ କିଏ ରହିବ ଉତ୍ତରଦାୟୀ ?
କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି କଳାହାଣ୍ଡି କୋକସରା ବେହେରା ମଝି କେନାଲ । ଚଳିତ ବର୍ଷର ପ୍ରଥମ ପାଣିରେ ଭାଙ୍ଗି ଏମିତି ଘାଇ ସୃଷ୍ଟି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର କିଛିଦିନ ତଳେ ଏଇ କେନାଲରେ ପାଣି ଛଡ଼ାଯାଇଥିଲା । ହେଲେ କେନାଲର ଉଭୟ ପାର୍ଶ୍ଵ କଂକ୍ରିଟ ହୋଇଥିବାବେଳେ ବନ୍ଧ ଭାଙ୍ଗି ୨୦ ଫୁଟର ଘାଇ ସୃଷ୍ଟି ହେବା କାମର ମାନକୁ ନେଇ ସନ୍ଦେହ ସୃଷ୍ଟି କରିଛି। ବନ୍ଧ ଭାଙ୍ଗିଯିବା ପରେ ଜରୁରୀକାଳୀନ ଭିତିରେ ମରାମତି କରାଯାଇଛି । ମାଟି ପକାଇ ଘାଇ ପୋତା ଯିବା ସହ କଡରେ ବାଲି ବସ୍ତା ମଧ୍ୟ ଦିଆଯାଇଛି । ଯେଉଁଠି କେନାଲରେ ପାଣି ଆସୁ ଆସୁ କଂକ୍ରିଟ ନିର୍ମାଣ ଭୁଶୁଡି ଯାଉଛି ସେଠି ବାଲି ବସ୍ତା ଦମ୍ଭ ଧରିବତ ? ପାଣିଗଲା ବେଳକୁ ପୁଣି ଥରେ ଘାଇ ସୃଷ୍ଟି ହେବ ନାହିଁ ବୋଲି କିଏ ଦେବ ଗ୍ୟାରେଣ୍ଟି ?