ଭବାନୀପାଟଣା: ଅଳିଆ ଗଦାରେ ପଡିଛି ସରକାରୀ ଔଷଧ । କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ସହ ମାଗଣା ଔଷଧ ଯୋଗାଇ ଦେବା ପାଇଁ ନିରାମୟ ଯୋଜନା କରିଛନ୍ତି । ଗୋଟିଏ ପଟେ ସାଧାରଣ ଲୋକେ ଟଙ୍କା ଦେଇ ଔଷଧ ଦୋକାନରୁ ଔଷଧ କିଣୁଥିବାବେଳେ, ନିରାମୟ ଯୋଜନାର ଔଷଧ ଅବଧି ସରିଯାଉଥିଲେ ମଧ୍ୟ ଲୋକେ ପାଇ ପାରୁନାହାନ୍ତି । ଫଳରେ ଗଦା ଗଦା ଔଷଧ ଅଳିଆଗଦାରେ ଫିଙ୍ଗାଯାଉଛି ।
ସୂଚନା ଅନୁଯାୟୀ, ଲାଞ୍ଜିଗଡ ବ୍ଲକର ୧୫ରୁ ଉର୍ଦ୍ଧ୍ବ ପଞ୍ଚାୟତର ପ୍ରାୟ ୩୦ ହଜାର ଲୋକେ ଏହି ଡାକ୍ତରଖାନା ଉପରେ ଭରଷା କରିଥାନ୍ତି । କିନ୍ତୁ ନିରାମୟ ଯୋଜନାର ଔଷଧ ଅବଧି ସରିଯାଉଥିବାରୁ ପ୍ୟାକେଟ ପ୍ୟାକେଟ ଔଷଧ ଅଳିଆଗଦାରେ ଫିଙ୍ଗାଯାଉଛି । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ଔଷଧ ନୁହେଁ ବିଭିନ୍ନ ରୋଗ ପାଇଁ ଆସୁଥିବା ବିଭିନ୍ନ କମ୍ପାନୀର ନାମିଦାମି ଔଷଧ ଅଳିଆଗଦାରେ ପଡିରହିଛି । ଏନେଇ ଔଷଧ ପାଇପାରୁ ନ ଥିବାରୁ ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ।